ଡିଏଲ ପାଇଁ ୨୬ରୁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର : (ସଂକେତ୍ ଟିଭି) ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର । ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ । ତେବେ ନୂତନ ଡିଏଲ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି । ଅନଲାଇନ୍‌ ଆବେଦନ ସମୟରେ ଏହାକୁ ସାରଥୀ ପୋର୍ଟାଲରେ ଅପଲୋଡ୍ କରୁଛନ୍ତି ।

ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିହେବ ନାହିଁ । ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍‌ ହେବାର ଆଶଙ୍କା ରହିଛି । ତେଣୁ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା ନିଶ୍ଚିତ କରିବାକୁ ଏସ୍‌ଟିଏ ଓଡ଼ିଶା ଏକ ନୂତନ ଅନଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବିକଶିତ କରିଛି । ଯେଉଁଠାରେ ପ୍ରାୟ ୧୬୭ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି । ସେମାନେ ଅନଲାଇନରେ ସାରଥୀ ପୋର୍ଟାଲ୍ ମାଧ୍ୟମରେ ଡିଏଲ ଓ ଏଲଏଲ ଆବେଦନକାରୀଙ୍କୁ
ଡାକ୍ତରୀ ପ୍ରମାଣପତ୍ର ଦେବେ ।

ଜାନୁଆରୀ ୨୬ ତାରିଖରୁ ୪୦ ବର୍ଷରୁ ଅଧିକ ବୟସର ଡିଏଲ ଓ ଏଲଏଲ ଆବେଦନକାରୀଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ୍‌ ପ୍ରଦାନ ବାଧ୍ୟତାମୂଳକ ହେବ ।