ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ଆଣିଲେ ଘରୋଇ ହିଂସା ଅଭିଯୋଗ

କଟକ : (ସଂକେତ୍ ଟିଭି) କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ପତ୍ନୀ ଶ୍ରେୟା ମିଶ୍ର ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ।

ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସିଡିଏ ସେକ୍ଟର ୬ରେ ରହୁଛନ୍ତି। ଗଲା କିଛିମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଛି। ଏନେଇ ପତ୍ନୀ ଶ୍ରେୟା ଆଜି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ ଆପୋଷ ବୁଝାମୁଣା ନେଇ ଉଭୟ ପକ୍ଷକୁ ଡକା ଯାଇ କାଉନସିଲିଂ କରାଯାଇଛି ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି । ଆସନ୍ତା କାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ କାଉନସେଲିଂ ପାଇଁ ଥାନାରେ ଉଭୟ ପକ୍ଷ ପହଞ୍ଚିବାକୁ ସମନ କରାଯାଇଛି। ଏହି ସମୟରେ ମହିଳା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। କାଉନସେଲର ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ସହ ଏହାର ସତ୍ୟତା ପରଖିବେ। ଏହାବାଦ ଏହି ମାମଲାରେ ହ୍ୟୁମାନଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ହ୍ୟୁମାନଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ। ଏଥିରେ ବିବାଦର ସମାଧାନ ନ ହେଲେ ପରବର୍ତ୍ତୀ ଏକ ତାରିଖରେ ପୁଣି ଥରେ କାଉନସେଲିଂ କରାଯିବ।