ସ୍କୁଲରୁ ଫେରୁଥିଲେ ଦୁଇ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଲେ ଦୁଇ ଯୁବକ
ବାଲେଶ୍ବର : (ସଂକେତ୍ ଟିଭି) ସ୍କୁଲରୁ ଘରକୁ ଫେରୁଥିବାବେଳେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ବୋଲେରୋରେ ଉଠାଇ ନେଇ ଲଜ ରେ ଦୁଇ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି।
ଛାତ୍ରୀଙ୍କ ଅଭିଭାବକ ଥାନାରେ ଦେଇଥିବା ଅଭିଯୋଗରୁ ପ୍ରକାଶ ଯେ, ସୋର ଥାନା ଅଞ୍ଚଳର ଦୁଇ ସମ୍ପର୍କୀୟ ଭଉଣୀ ସାଇକେଲରେ ମଙ୍ଗଳବାର ସ୍କୁଲ ଯାଉଥିଲେ। ଅପରାହ୍ନରେ ସ୍କୁଲରୁ ଫେରିଲା ବେଳେ ଅଧା ରାସ୍ତାରେ ଦୁଇ ଭଉଣୀଙ୍କୁ ଦୁଇ ଜଣ ଯୁବକ ବୋଲେରୋରେ ଆସି ଅଟକାଇଥିଲେ । ସେମାନେ ଦୁଇ ଛାତ୍ରୀଙ୍କୁ ଅଟକାଇ ରାସ୍ତା ପଚାରିଥିଲେ । ଏହି ସମୟରେ ଦୁଇ ଛାତ୍ରୀ ସାଇକେଲରୁ ଓହ୍ଲାଇବା ପରେ ସେମାନେ ଉଭୟଙ୍କୁ ବୋଲେରୋରେ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ସୋର ଅଞ୍ଚଳରେ ଥିବା ଏକ ଲଜ୍ରେ ଦୁଇ ରାତି ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ଚାରିଆଡ଼େ ଖୋଜିଥିଲେ। ମାତ୍ର ଦୁଇ ଭଉଣୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ଶେଷରେ କିଛି ଉପାୟ ନପାଇ ପରିବାର ଲୋକ ଅନନ୍ତପୁର ଫାଣ୍ଡିରେ ମଙ୍ଗଳବାର ଦିନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁଇ ଭଉଣୀଙ୍କୁ ଖୋଜାଖୋଜି କରିଥିଲା।
ଗୁରୁବାର ସନ୍ଧ୍ୟା ବେଳେ ହଠାତ୍ ଦୁଇ ଭଉଣୀ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ। ପରିବାର ଲୋକେ ଅନନ୍ତପୁର ଫାଣ୍ଡିକୁ ନଯାଇ ସୋର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି। ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଛି।