ଗୁଗୁଲ୍‌ରୁ ବିଦା ହେବେ ୧୨,୦୦୦ କର୍ମଚାରୀ

ନ୍ୟୁୟର୍କ : (ସଂକେତ୍ ଟିଭି) ବିଶ୍ୱ ସ୍ତରରେ ଟେକନଲୋଜୀ କମ୍ପାନିମାନେ ଯେଉଁ ହାରରେ ଛଟେଇ କରିଚାଲିଛନ୍ତି ତାହାକୁ ନେଇ ପେସାଦାରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲାଣି । ବିଶେଷକରି ଆମେରିକୀୟ ଟେକନଲୋଜୀ କମ୍ପାନି ଗୁଡ଼ିକ ପ୍ରାୟ ପ୍ରତିଦିନ ଛଟେଇ କରିବା ସଂପର୍କରେ ଘୋଷଣା କରୁଛନ୍ତି । ବିଶ୍ୱର ଅନ୍ୟତମ ପ୍ରମୁଖ ଟେକନଲୋଜୀ କମ୍ପାନି ଗୁଗୁଲ୍‌ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସଂପର୍କରେ ଶୁକ୍ରବାରଦିନ ଏହାର ମୂଳ କମ୍ପାନି ଆଲଫାବେଟ୍‌ ଘୋଷଣା କରିଛି ।

ଏହି ସଂଖ୍ୟା ସାରା ବିଶ୍ୱରେ ଥିବା ଗୁଗୁଲର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହେବ ।ଏହି ଛଟେଇ ଦ୍ୱାରା କେବଳ ଆମେରିକାରେ ଥିବା ଗୁଗୁଲ କର୍ମଚାରୀ ନୁହନ୍ତି, ସାରା ବିଶ୍ୱରେ ଥିବା କର୍ମଚାରୀ ପ୍ରଭାବିତ ହେବେ । ତେବେ ଭାରତରେ ଗୁଗୁଲର କେତେ କର୍ମଚାରୀ ଛଟେଇ ହେବେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ ।

ଶୁକ୍ରବାରଦିନ ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ ଏକ ଇ-ମେଲ ମାଧ୍ୟମରେ ଏହି ଛଟେଇ ସଂପର୍କରେ ଜଣାଇଦେଇଛନ୍ତି । କମ୍ପାନିରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ଦୁଇଦିନ ତଳେ ବିଶ୍ୱର ଅନ୍ୟତମ ବୃହି ଟେକନଲୋଜୀ କମ୍ପାନି ମାଇକ୍ରୋସଫଫ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଥିଲା । କମ୍ପାନୀ ଏହାର କାରଣ ଭାବରେ ଏକ କଠିନ ପରିସ୍ଥିତିକୁ ଦର୍ଶାଇଥିଲା । ଏସବୁ ଛଟେଇ ୨୦୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା କରାଯିବ ।