ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ହାଇ ଲେଭଲ୍‌ ବ୍ରିଜ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ବାରିପଦା : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଗୋବରଘାଟଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇ ଲେଭଲ୍‌ ବ୍ରିଜ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଛନ୍ତି । ଶନିବାର ଅପରାହ୍ନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି ।

ବାଲେଶ୍ବର ଜିଲ୍ଲାର ପୁରୁଣା ଜାତୀୟ ରାଜପଥର ଜଳେଶ୍ବର ବାଇ ପାସ୍ ଠାରୁ ଡି.ପି ପ୍ରାଇମେରୀ ସ୍କୁଲ ଛକ ମଧ୍ୟରେ ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏହି ବ୍ରିଜ ନିର୍ମାଣ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ମ୍ୟୁନିସିପାଲିଟି ଠାରୁ ଜଳେଶ୍ଵର ବ୍ଳକର ରାଇବଣିଆ ଏବଂ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ମଧ୍ୟରେ ଗମନାଗମନ ସୁବିଧା ସହିତ ଉଭୟ ଜିଲ୍ଲାର ଜନସାଧାରଣଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀ ଏହି ହାଇ ଲେଭଲ୍‌ ବ୍ରିଜ୍‌ ନିର୍ମାଣ ପାଇଁ ୧୦୧ କୋଟି ୬୬ ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ୩୬ ମାସ ମଧ୍ୟରେ ଏହା ସମ୍ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଏସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଦିପ୍ତିଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।