ଆଇସିସିରୁ ୨୦ କୋଟି ଟଙ୍କାର ଅନଲାଇନ୍ ଠକେଇ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରତିଦିନ ଅନଲାଇନ୍ ଠକେଇର ଖବର ଆସୁଛି । ବହୁବାର ଖବର ଦେଖିଥିବେ କିମ୍ବା ଶୁଣିଥିବେ ସାଧାରଣ ଲୋକମାନେ ସାଇବର ଅପରାଧୀଙ୍କ ଶିକାର ହୋଇ ନିଜର କଷ୍ଟ ଉପାର୍ଜିତ ଟଙ୍କା ହରାଉଛନ୍ତି । କେତେବେଳେ ଓ କିପରି ଅନଲାଇନରେ କେହି ଠକି ଦେବ ତାହା କୁହାଯାଇପାରିବ ନାହିଁ । ଏବେ ସାଧାରଣ ଲୋକ ନୁହେଁ ବଡ ବଡ ସଂସ୍ଥା ସାଇବର ଠକେଇର ଶିକାର ହେଉଛନ୍ତି । ଅନଲାଇନ୍ ଠକମାନେ ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଟାର୍ଗେଟ କରିଛନ୍ତି ।
ବର୍ତ୍ତମାନ, ଏତେ ବଡ ସଂସ୍ଥାରୁ ଅର୍ଥ ଠକେଇ କରିବା ନିହାତି ପକ୍ଷେ ଖୁବ୍ ବଡ କଥା ।ଏହି ସ୍କାମରମାନେ ଆଇସିସିରୁ ୨୦ କୋଟି ଟଙ୍କା ଲୁଟିଛନ୍ତି । ତେବେ ତାଙ୍କ ସହ ହୋଇଥିବା ଠକେଇ ସମ୍ପର୍କରେ ଆଇସିସି ଏପର୍ଯ୍ୟନ୍ତ କିଛି ସୂଚନା ଦେଇନାହିଁ । କ୍ରିକେଟ୍ ଜଗତ ବିଷୟରେ ସୂଚନା ଦେଉଥିବା ବେସାଇଟ୍ କ୍ରିକବଜ୍ ର ଏକ ରିପୋର୍ଟରେ କୁହାଯାଇଛି ଯେ ଆଇସିସି ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛି । ଫିସିଙ୍ଗର ଏହି ଘଟଣା ଆଇସିସିରେ ହଇଚଇ ସୃଷ୍ଟି କରିଛି ଏବଂ ସମସ୍ତେ ଚକିତ ହୋଇଯାଇଛନ୍ତି ।
ସ୍କାମରମାନେ ଆମେରିକାରେ ଆଇସିସିର ଜଣେ ପରାମର୍ଶଦାତାଙ୍କ ନାଁରେ ନକଲି ଇମେଲ ଆଇଡି ତିଆରି କରିଥିଲେ । ଏହି ଇ-ମେଲ୍ ଆଇଡିରୁ ଆଇସିସିର ମୁଖ୍ୟ ଆର୍ଥିକ ଅଧିକାରୀ ଅର୍ଥାତ ସିଏଫ୍ଓ କୋଟି କୋଟି ଟଙ୍କାର ଅଧିକ ବିଲ୍ ପଠାଇ ତାଙ୍କୁ ପରିଶୋଧ କରିବାକୁ କହିଥିଲା । ସିଏଫ୍ଓ ଅଫିସ ବୁଝିନପାରି ବିଲ୍ ପରିଶୋଧ କରିଥିଲା, ତେବେ ପ୍ରଶ୍ନ ଉଠୁଛି ଯେ କାହିଁକି କାର୍ଯ୍ୟାଳୟରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରତି କେହି ଧ୍ୟାନ ଦେଲେ ନାହିଁ । ତେବେ ଆଇସିସି ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କିଛି କହିନାହିଁ, କିନ୍ତୁ ଏହା ନିଜସ୍ ଅନୁସନ୍ଧାନ ଆରମ୍ଭ କରିଛି ଏବଂ ଆମେରିକାରେ ଆଇନ ଏଜେନ୍ସିଙ୍କ ପାଖରେ ଅଭିଯୋଗ କରିଛି ।