ଘରବାଡିରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ସନ୍ଦେହ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ପାଉଁସକୁଲି ପଞ୍ଚାୟତ ବେଗୁନିଆ ଗାଁରେ ଘରବାଡିରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ମଞ୍ଜୁଲତା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବେଗୁନିଆ ଗାଁର ନରହରି ନାୟକଙ୍କ ପରିବାର ଲୋକେ ଶନିବାର ରାତିରେ ଖାଇ ସାରି ଶୋଇଥିଲେ । ସକାଳ ସମୟରେ ଘର ଆଗପଟ କବାଟରେ କେହି ତାଲା ପକାଇଦେଇଥିଲେ । ଯାହାଫଳରେ ସେ ଆଉ ଘରର କବାଟ ଖୋଲିପାରିନଥିଲେ । ଶେଷରେ ପଡୋଶୀ ଲୋକଙ୍କୁ ଡାକିଥିଲେ । ପଡୋଶୀ ଆସି ତାଲା ଫିଟାଇବାରୁ ଘର ବାହାରକୁ ଆସିଥିଲେ। ପରେ ଘର ବାଡିରୁ ନରହରିଙ୍କର ସ୍ତ୍ରୀ ମଞ୍ଜୁଲତାଙ୍କ ମୃତଦେହ ଦେଖିଥିଲେ ଗ୍ରାମବାସୀ । ମୃତଦେହର ୯୦ ପ୍ରତିଶତ ପୋଡିଯାଇଛି ।

ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନପାରିନଥିବା ବେଳେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ ଜାରି ରଖିଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।