ଦୁଷ୍କର୍ମକାରୀକୁ କୋଦାଳରେ ହାଣି ହତ୍ୟା କଲେ ପୀଡ଼ିତା

ବାରିପଦା : (ସଂକେତ୍ ଟିଭି) ଦୁଷ୍କର୍ମକାରୀକୁ କୋଦାଳରେ ହାଣି ହତ୍ୟା କଲେ ପୀଡ଼ିତା। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)।

ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଗୁଞ୍ଜୁସାହି ଅଞ୍ଚଳର ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ଗତ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରିଥିଲେ।

ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ।

ସେପଟେ ୧୫ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ। ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ।

ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣଙ୍କ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି। ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲରେ ପିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକ୍ତଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।