ପୁଣି ବଢ଼ିବ ଶୀତ, ବର୍ଷା ସାଙ୍ଗକୁ ପ୍ରବଳ ଜାଡ଼ ସମ୍ଭାବନା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୨୩ ତାରିଖ ଠାରୁ ଦେଶର ବିଭିନ୍ନ ଅଂଚଳ ପ୍ରବଳ ଥଣ୍ଡାରେ ଥରିବ । ଦିଲ୍ଲୀ ସହିତ ପୂରା ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଭାରତ କିଛି ଅଞ୍ଚଳରେ ବର୍ଷା ହେବା ସହିତ ହିମାଳୟର ପାର୍ବତୀୟ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ଆଫଗାନିସ୍ତାନ ଏବଂ ପଡୋଶୀ ଦେଶରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସୋମବାର ଠାରୁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି । ସେହିପରି ୨୪ରୁ ୨୭ ତାରିଖ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ହାଲୁକା ବର୍ଷା ହେବ । ୨୫ରୁ ୨୭ ତାରିଖ ମଧ୍ୟରେ ଉତ୍ତର ରାଜସ୍ଥାନ ଓ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି ।

ଜାନୁଆରୀ ୨୩ରୁ ୨୭ ତାରିଖ ମଧ୍ୟରେ ପଶ୍ଚିମା ପବନ ଧୀରେ ଧୀରେ ଉତ୍ତରରୁ ପୂର୍ବ ଦିଗ ମୁହାଁ ହେବ । ବର୍ଷା ଏବଂ ତୁଷାରପାତ ଯୋଗୁ ଥଣ୍ଡାର ପ୍ରକୋପ ବଢ଼ିବ । ଜାନୁଆରୀ ୨୩ ତାରିଖରେ ଦିଲ୍ଲୀ ଏନସିଆର୍ ସମେତ ଉତ୍ତର ଭାରତରେ ଭୟଙ୍କର ଜାଡ଼ ପଡ଼ିବ । ବିଶେଷ କରି ସମତଳ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ । ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରବଳ ବରଫ ବର୍ଷା ହେବାର ଆଶଙ୍କା ରହିଛି ।