ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଧରମୈୟା
ନୂଆଦିଲ୍ଲୀ : (ସଂକେତ୍ ଟିଭି) କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ପିଏମ ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି । ଚଳିତ ବର୍ଷ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତୀବ୍ର ହେବାରେ ଲାଗିଛି ।
ତେବେ ସିଦ୍ଧରମୈୟାଙ୍କ ବୟାନରେ ବିଜେପି ଅସନ୍ତୋଷ ପ୍ରକାଶ କରିଛି । ଏହି ବିବାଦୀୟ ବୟାନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେପି କଂଗ୍ରେସ ଦଳକୁ କହିଛି । ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ସିଦ୍ଧରମୈୟା ଖଡଗେଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ଏହି ବୟାନରେ କଂଗ୍ରେସକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ।’
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଆଜି ମଧ୍ୟ ସିଦ୍ଧରମୈୟା ମଲ୍ଲିକାର୍ଜୁନ ଖଡଗେଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କ କହିବା ମୁତାବକ, କେବଳ ରାହୁଲ ଗାନ୍ଧୀଙ୍କ ଆଦର୍ଶକୁ ସମର୍ଥନ କରାଯିବ । ମୁଁ ପଚାରିବାକୁ ଚାହୁଁଛି ତାଙ୍କ ଦଳର ସ୍ଥିତି କ’ଣ?’ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଖଡଗେ କେବଳ ନାମକୁ ଦଳର ମୁଖ୍ୟ । କିନ୍ତୁ ମୋଦୀ ଜଣେ ନିର୍ବାଚିତ ନେତା ହୋଇଥିବାବେଳେ ସେ କୌଣସି ଗାନ୍ଧୀ ପରିବାରର ନୁହଁନ୍ତି ।’