ପୋଲ ତଳକୁ ଖସିଲା ନୀଳମାଧବ ବସ୍‌; ୨ ମୃତ, ୪୦ ଆହତ

ଢେଙ୍କାନାଳ : (ସଂକେତ୍ ଟିଭି): ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ହରିଶଙ୍କରରୁ ପିକିନିକ ସାରି କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଫେରୁଥିଲା। ବସ୍‌ଟି ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ହଠାତ୍‌ ପୋଲ ତଳକୁ ଖସି ପଡିଥିଲା।

ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଦୁଇ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ। ସେମାନଙ୍କ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁରରେ।