କେନ୍ଦ୍ର ନଦେଲେ ରାଜ୍ୟର ୧୫ ଲକ୍ଷ ଲୋକଙ୍କୁ ଘର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : (ସଂକେତ୍ ଟିଭି) କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ୧୫ ଲକ୍ଷ ଘର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ୍ ପାତ୍ର ଓ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ବିଜେପି ଉପରେ ବର୍ଷିଛନ୍ତି।

ସେମାନେ କହିଛନ୍ତି ଯେ ଦିଲ୍ଲୀ ଦରବାରକୁ ସାଂସଦମାନଙ୍କୁ ନିର୍ବାଚିତ କରି ପଠେଇଲା ବିଜେପି। କିନ୍ତୁ ବିଜେପି ସାଂସଦ ଓଡ଼ିଶା ଲୋକଙ୍କ ସହ ଖେଳିଲେ। ଲୋକଙ୍କ ହକ୍‌ର ଘର ଅଟକେଇ ଦେଲେ। ହିତାଧିକାରୀଙ୍କ ପାଇଁ ଷଡଯନ୍ତ୍ର କଲେ ବିଜେପି ସାଂସଦ। ମୁଣ୍ଡ ଉପରେ ଛାତ ପ୍ରତି ଲୋକର ଆବଶ୍ୟକତା, କିନ୍ତୁ ସେମାନଙ୍କୁ ମିଳୁନାହିଁ। ଆମର ଆବଶ୍ୟକ ୧୫ ଲକ୍ଷ ଘର। ଷଡଯନ୍ତ୍ର କରି ବିଜେପି ସାଂସଦମାନେ କେନ୍ଦ୍ରରେ କହି ମାତ୍ର ୮ ଲକ୍ଷ୍ୟ ଘର ଦେଲେ ଆଉ ସବୁ ଅଟକେଇ ଦେଲେ। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ। କେନ୍ଦ୍ର ସରକାର ଭିତିରିଆ ନିଷ୍ପତ୍ତି କରିଛନ୍ତି ଆଉ ଘର ଓଡ଼ିଶାକୁ ଦେବେ ନାହିଁ। ବନ୍ଦ କରିଦେବେ ଯୋଜନା। କିନ୍ତୁ ଆମେ କହୁଛୁ କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ୧୫ ଲକ୍ଷ୍ୟ ଘର ମୁଖ୍ୟମନ୍ତ୍ରୀ ଦେବେ।

ବିଜେପି ସାଂସଦ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଡ୍ରାମା କରୁଛନ୍ତି, ମାତ୍ର ଆଠ ଲକ୍ଷ ଘର ଦେଲେ। ବିଜେପି ରାଜ୍ୟ ନେତୃତ୍ୱ ମାନେ କେନ୍ଦ୍ରକୁ ଯାଆନ୍ତୁ ଏବଂ ଜଣାନ୍ତୁ ଯେ ଗାଇଡ଼ଲାଇନ ପରିବର୍ତ୍ତନ କରାଯାଉ। ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତା ମାନେ ଲିଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରୁଛି। ଏହା ଓଡିଶାର ରାଜନୀତି ଇତିହାସରେ କଳା ଅଧ୍ୟାୟ ।

ଓଡିଶା ଲୋକଙ୍କ ପାଇଁ ବିଜେଡ଼ିର ସଂଗ୍ରାମ ଜାରି ରହିବ । ଓଡ଼ିଶା ଲୋକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବିଜେପିର ସାଂସଦ। ଗାଇଡ଼ଲାଇନ ତିଆରି ବେଳେ କାହିଁକି ଚୁପ ବସିଲେ ସେମାନେ। କେନ୍ଦ୍ର ସରକାର ଗାଇଡ଼ଲାଇନ କରିଛନ୍ତି । କାହିଁକି ବଦଳାଇବାକୁ କହୁନାହାନ୍ତି । ପଲ୍ଲୀସଭାରେ ଆପତ୍ତି ଆଣୁନାହାନ୍ତି କାହିଁକି? ମିଛ ପ୍ରହେଳିକା ସୃଷ୍ଟି ନକରନ୍ତୁ ବୋଲି ସେମାନେ କହିଥିଲେ ।