ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ବର୍ଷ ପରେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ । ଏନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ଓ୍ବାସିଂଟନରେ ଦଙ୍ଗା ପରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ମେଟା ଦ୍ୱାରା ଜାନୁଆରୀ ୬, ୨୦୨୧ରେ ରୋକ୍ ଲଗାଯାଇଥିଲା । ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ କ୍ଲେଗ ବୁଧବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଲମ୍ବନ ଏକ ଅସାଧାରଣ ନିଷ୍ପତ୍ତି ଅଟେ । ନେତାମାନେ କଣ କହୁଛନ୍ତି ତାହା ଜାଣିବା ସମସ୍ତଙ୍କର ଆବଶ୍ୟକ ଅଟେ । ଯାହା ଫଳରେ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାକୁ ସୁବିଧା ହେବ ।

ନଭେମ୍ବର ୩, ୨୦୨୦ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ପରାଜୟ ଗ୍ରହଣ କରିନଥିଲେ । ଏହାପରେ ସେ ନିର୍ବାଚନରେ ​​ଠକେଇ ଅଭିଯୋଗ ଆଣିଥିଲେ। ଟ୍ରମ୍ପଙ୍କ ଏହି ଅଭିଯୋଗ ମଧ୍ୟରେ ଜାନୁଆରୀ ୬ ରେ ତାଙ୍କ ସମର୍ଥକମାନେ ସଂସଦ ଗୃହ କମ୍ପ୍ଲେକ୍ସରେ ହିଂସା କରିଥିଲେ ।

ତେବେ ଆନ୍ଦୋଳନ ପାଇଁ ଲୋକଙ୍କୁ ଉସୁକାଉ ଥିବା ନେଇ ଅଭିଯୋଗ ପରେ ଟ୍ବିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ରଦ୍ଧ କରିଥିଲା । ଏହାପରେ ଗତ ବର୍ଷ ନଭେମ୍ବରରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିଥିଲା।