କ୍ୟାପ୍ଟେନ ଅମରିନ୍ଦର ସିଂହ ହେବେ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ମହାରାଷ୍ଟ୍ରର ନୂଆ ଗଭର୍ଣ୍ଣର ହେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମହାରାଷ୍ଟ୍ରର ଆଗାମୀ ରାଜ୍ୟପାଳ ନିଯୁକ୍ତି ଲାଗି ଆଦେଶ ଜାରି ହୋଇଯାଇଛି। ମାତ୍ର କିଛି ସମୟ ପୂର୍ବରୁ କ୍ୟାପ୍ଟେନ ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କର ପାର୍ଟି ପଞ୍ଜାବ ଲୋକ କଂଗ୍ରେସ (ପିଏଲସି)କୁ ମଧ୍ୟ ବିଜେପିରେ ସାମିଲ କରିଦେଇଥିଲେ।
ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଭଗତସିଂ କୋଶ୍ୟାରୀ କିଛି ଦିନ ପୂର୍ବେ ପଦ ଛାଡିବା ଲାଗି ତାଙ୍କର ଇଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। କ୍ୟାପ୍ଟେନଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରହିଛି। ନିକଟରେ କ୍ୟାପ୍ଟେନଙ୍କୁ ବିଜେପିର ୮୩ତମ କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିଲା। ବିଜେପିରେ ଲଗାତାର କ୍ୟାପ୍ଟେନଙ୍କ ପଦବୀ ବଢୁଥିବା ବେଳେ ଏବେ ତାଙ୍କୁ ମହାରାଷ୍ଟ୍ରର ଗଭର୍ଣ୍ଣର କରିଦିଆଯାଇଛି।
ତେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନାମ ପ୍ରଥମେ ଉପରାଷ୍ଟ୍ରପତି ପଦ ଲାଗି ଚର୍ଚ୍ଚାକୁ ଆସିଥିଲା। ତେବେ ପରେ ଏହି ପଦରେ ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଚୂଡ଼ାନ୍ତ କରିଥିଲା। ସେତେବେଳେ କ୍ୟାପ୍ଟେନ ବିଦେଶରେ ରହି ଚିକିତ୍ସିତ ହେଉଥିଲେ। ସେ ପର୍ଯ୍ୟନ୍ତ କ୍ୟାପ୍ଟେନ ତାଙ୍କ ପାର୍ଟିକୁ ମଧ୍ୟ ବିଜେପିରୁ ପୃଥକ ରଖିଥିଲେ। ଏବେ କିନ୍ତୁ ସେ ବିଜେପିରେ ସମ୍ପୂର୍ଣ୍ଣ ସାମିଲ ହୋଇଯାଇଛନ୍ତି।