ମହିଳାଙ୍କୁ ଜଙ୍ଗଲରେ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ସନ୍ଦେହ
ବାରିପଦା : (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ରାସ୍ତା ପାର୍ଶ୍ୱ ଶାଳ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ଆଜି ସକାଳ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ନଡ଼ପୁର ଗ୍ରାମର ୩୫ ବର୍ଷୀୟା ମାଳତୀ ମୁର୍ମୁ ଓ ତାଙ୍କ ସ୍ୱାମୀ ଗୋଲକ ମୁର୍ମୁ ନିଜ ସାନ ପୁଅ ସହିତ ଘରେ ରାତ୍ରିଭୋଜନ କରିଥିଲେ। ପରେ ଗୋଲକ ପାଖ ଗ୍ରାମରେ ଚାଲିଥିବା ଆଦିବାସୀ ଯାତ୍ରା ଦେଖିବାକୁ ଚାଲି ଯାଇଥିବା ବେଳେ ସାନ ପୁଅ ଗ୍ରାମର ଜଣେ ସାଙ୍ଗଙ୍କ ଘରକୁ ଶୋଇବାକୁ ଚାଲିଯାଇଥିଲା । ଘରେ ଏକୁଟିଆ ମାଳତୀ ଶୋଇଥିଲା । ହେଲେ ଆଜି ସକାଳୁ ଗ୍ରାମବାସୀ ମାଳତୀର ରକ୍ତ ଜୁଡୁବୁଡୁ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ଶବ ବେତନଟୀ-ନଡ଼ପୁର ଜଙ୍ଗଲ ମଧ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।
ଜଙ୍ଗଲ ମଧ୍ୟରେ ଗୋଟିଏ ସ୍ଥାନରେ ରକ୍ତ ପଡ଼ିବା ସହିତ ପାଖାପାଖି ୨୦୦ମିଟର ପର୍ଯ୍ୟନ୍ତ ମାଳତୀକୁ ଘୋଷାଡ଼ି ନେବାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଏହିସବୁ ପାରିପାର୍ଶିକ ପରିସ୍ଥିତିକୁ ଦେଖି ଦୁଷ୍କର୍ମ ପରେ ହତ୍ୟା କରାଯିବାର ସନ୍ଦେହ କରାଯାଉଛି । ଖବର ପାଇ ଆଜି ସକାଳୁ ସକାଳୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ପୁଲିସ ସହିତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛି । ଏନେଇ ଏପର୍ଯ୍ଯନ୍ତ କାହାକୁ ଗିରଫ କରାଯାଇନାହିଁ ।