ମୁହାଁମୁହିଁ ଧକ୍କା ହେଲେ ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ, ଜଣେ ପାଇଲଟ ମୃତ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍ ୨୦୦୦ ଲଢୁଆ ବିମାନ ଆଜି ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ମଧ୍ୟପ୍ରଦେଶର ମୁରୈନା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ପାଇଲଟ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇଜଣ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ମୃତ ପାଇଲଟଙ୍କ ନାମ ହନୁମନ୍ତ ରାଓ ସାରଥି ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଗୋଆଲିୟର୍ସ୍ଥିତ ମହାରାଜପୁର ବିମାନଘାଟିରୁ ଭଭୟ ବିମାନ ଅଭ୍ୟାସ ପାଇଁ ଉଡ଼ାଣ ଆରମ୍ଭ କରିଥିଲେ। ଏହି ସମୟରେ ଦୁଇଟି ବିମାନ ଦୁର୍ଘଟଣା ହୋଇଛି। ବିମାନରେ କୌଣସି ତ୍ରୁଟି ଯୋଗୁ ଏଭଳି ହୋଇଛି କି ଚାଳକଙ୍କ ତ୍ରୁଟି ଯୋଗୁ ଏପରି ହୋଇଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି, ନାହିଁ ଜାଣିବା ଲାଗି ଭାରତୀୟ ବାୟୁସେନା ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦେଇଛି।
ମୁରୈନା ଜିଲ୍ଲାପାଳ ଅଙ୍କିତ ଅସ୍ଥାନା କହିଛନ୍ତି ଯେ, ଭୋର୍ ୫.୩୦ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇ ଜଣ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ଏସ୍. ପି.ଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଉଛି। ସମଗ୍ର ଅଞ୍ଚଳକୁ କର୍ଡନ୍ କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।