ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ନିଯୁକ୍ତି ହେବେ ୫୦ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ବର : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ବିମାନବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡା, ଉତକେଲା, ରାଉରକେଲା ଏବଂ ଜୟପୁର।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ ୯ ଟି ଲେଖାଏଁ ପୋଷ୍ଟ ଉତକେଲା ଓ ଜୟପୁରରେ ନିଯୁକ୍ତି ପାଇବାକୁ ଥିବା ସମୟରେ ଝାରସୁଗୁଡା ଓ ରାଉରକେଲା ବିମାନ ବନ୍ଦରରେ ୧୬ ଜଣ ଲେଖାଏଁ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି ପାଇବେ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ତିନୋଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି । କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲରେ ତିନୋଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି।