୨୦୨୫ରେ ଚୀନ୍‌-ଆମେରିକା ମଧ୍ୟରେ ହୋଇପାରେ ଯୁଦ୍ଧ

ୱାଶିଂଟନ : (ସଂକେତ୍ ଟିଭି) ଆମେରିକାର ୪ତାରକା ବିଶିଷ୍ଟ ବାୟୁସେନା ଜେନେରାଲ୍‌ ମାଇକ୍ ମିନିହନ୍ ଏକ ଭୟାନକ ଆଶଙ୍କା ବ୍ୟକ୍ତ କରିଛନ୍ତି । ବିଶ୍ୱର ଦୁଇ ସର୍ବବୃହତ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ହୋଇପାରେ ଯୁଦ୍ଧ । ଆଉ ମାତ୍ର ଦୁଇବର୍ଷ ଅର୍ଥାତ୍ ୨୦୨୫ ବେଳକୁ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଘମାଘୋଟ ସଂଘର୍ଷ ହେବ । ଆଉ ଏହାର ପରିଣାମ ଭୟଙ୍କର ହେବ । ଜେନେରାଲ୍ ମିନିହନ୍ ନିଜ ବିଭାଗକୁ ଲେଖିଥିବା ଏକ ଚିଠିରେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଜେନେରାଲ୍ ମିନିହନ୍‌ଙ୍କ ଏହି ଆଶଙ୍କାବାଣୀ ଯଦି ସତ୍ୟ ହୁଏ, ତେବେ ସମଗ୍ର ବିଶ୍ୱ ପାଇଁ ଏହା ଖରାପ ଖବର ହେବ । କାହିଁକି ନା ଏବେ ୟୁକ୍ରେନ୍ ଭଳି ଏକ କ୍ଷୁଦ୍ର ଦେଶ ସହ ରୁଷ୍‌ର ଚାଲିଥିବା ବର୍ଷେ ବ୍ୟାପୀ ଯୁଦ୍ଧ ଯୋଗୁ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗକୁ ଅନ୍ୟ ଉତ୍ପାଦଗୁଡ଼ିକର ଦରଦାମ ବଢ଼ିଛି । କିଛି ୟୁରୋପୀୟ ଦେଶରେ ସାଙ୍ଘାତିକ ଶକ୍ତି ଓ ଖାଦ୍ୟ ସଂକଟ ଦେଖାଦେଇଛି ।

ଅନ୍ୟପକ୍ଷରେ ଚୀନ୍‌କୁ ନେଇ ପେଣ୍ଟାଗନ ପକ୍ଷରୁ କୌଣସି ନକାରାତ୍ମକ ଆଭିମୁଖ୍ୟ ପ୍ରକାଶ ପାଇନାହିଁ । କିନ୍ତୁ ତାଇୱାନ ଉପରେ ଚୀନ୍ ଯେଉଁ ବାରମ୍ବାର ହସ୍ତକ୍ଷେପ କରୁଛି ଏବଂ ସାମରିକ ଭୟ ଦେଖାଉଛି, ତାହାକୁ ନେଇ ଆମେରିକା ଚିନ୍ତାରେ ରହିଛି । ଧୀରେ ଧୀରେ ତାଇୱାନ୍‌କୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଶେଷରେ ଏହା ଦୁଇଦେଶକୁ ଯୁଦ୍ଧ ନିକଟତର କରାଇବା ଆଶଙ୍କା ରହିଛି ।

ଜେନେରାଲ୍‌ ମିନିହନ୍ କହିଛନ୍ତି, ମୋତେ ଅନୁଭବ ହେଉଛି ଆମେ ୨୦୨୫ରେ ଚୀନ୍‌ ସହିତ ଯୁଦ୍ଧ ଲଢ଼ିବା । ମୁଁ ଚାହୁଁଛି ମୋର ଏହି ଆଶଙ୍କା ଭୁଲ ପ୍ରମାଣିତ ହେଉ । କିନ୍ତୁ ଆମେରିକା ଓ ତାଇୱାନ ଉଭୟ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ କରିବେ । ଏହା ଯୋଗୁ ଚୀନ୍ ତରଫରୁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ମିନିହନ୍‌ଙ୍କ ଆଶଙ୍କା ଉପରେ ମନ୍ତବ୍ୟ ଦେଇ ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଚୀନ୍‌କୁ ନେଇ ଆମେରିକାର ସେଭଳି ବିଚାର ନାହିଁ । ଏହା ମିନିହନ୍‌ଙ୍କର ବ୍ୟକ୍ତିଗତ ବିଚାର ।

ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଚଳିତମାସ ଆରମ୍ଭରେ କହିଥିଲେ ଯେ ତାଇୱାନ ଷ୍ଟ୍ରେଟରେ ଚୀନ୍‌ର କ୍ରମବର୍ଦ୍ଧିଷ୍ଣୁ ସେନା ଗତିବିଧିରୁ ଦେଶର ଆଭିମୁଖ୍ୟ ଓ ଲକ୍ଷ୍ୟ ସ୍ପଷ୍ଟ ବୁଝାପଡୁଛି । ତାଇୱାନ ଉପରେ ଚୀନ୍ କିଛି ବର୍ଷ ହେଲା କୂଟନୈତିକ, ସାମରିକ ଓ ଅର୍ଥନୈତିକ ଚାପ ପକାଇ ଆସୁଛି । ତାଇୱାନ ସରକାର ଶାନ୍ତି ଚାହୁଁଥିବା ବେଳେ ଚୀନ୍‌ର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ତାଇୱାନ ଚୀନର ଅନୁପ୍ରବେଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରୁଛି । ଏମିତି କି ରିଜର୍ଭ ଫୋର୍ସରେ ମହିଳାମାନଙ୍କୁ ସାମିଲ କରାଯାଇ ପୁରୁଷ ସେନା ଭଳି ତାଲିମ ଦିଆଯାଉଛି ।