ଡାକ୍ତରଖାନାର ପ୍ରସୂତି ବିଭାଗରେ ଚିକିତ୍ସା କରୁଥିବା ବେଳେ ଧରାପଡିଲେ ନକଲି ଡାକ୍ତର

ଭଦ୍ରକ : (ସଂକେତ୍ ଟିଭି) ଜଣେ ଯୁବକ ନିଜକୁ ଡାକ୍ତର ବେଶରେ ସଜେଇ ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିବା ବେଳେ ଧରାପଡିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଭଦ୍ରକ ଟାଉନଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଧରାପଡିଥିବା ଯୁବକ ଜଣକ ଯାଜପୁର ଜିଲ୍ଲା ଖନ୍ଦରା ଗାଁର ରାଜୀବ ଲୋଚନ ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ ଜନୈକ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇଥିଲେ। ବେକରେ ଷ୍ଟ୍ରେଥୋ ପକାଇ ଥିବା ବେଳେ ଗାର୍ଡଙ୍କୁ ନୂଆ କରି ଜଏନ କରିଥିବାରୁ ଓଟି ଓ ୱାର୍ଡକୁ ରାସ୍ତା ପଚାରି ଯାଇଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୱାର୍ଡରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ତାଙ୍କୁ ପରିଚୟ ପଚାରିଥିଲେ। କିନ୍ତୁ ଠିକ ଉତ୍ତର ନପାଇବାରୁ ତାଙ୍କୁ ମେଡିକାଲ ରେ ଥିବା ପୁଲିସ ସହାୟତା କେନ୍ଦ୍ରକୁ ଆଣିଥିଲେ। ପଚରାଉଚୁରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣାପଡ଼ିଥିଲା। ତେବେ ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ, ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।