ବନ୍ଧା ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ, ଜିମରୁ ୧୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର : (ସଂକେତ୍ ଟିଭି) କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ପୋଲିସ ବୁଧବାର ଦିନ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଏକ ସିନେମା ହଲରେ ସେଜି ସିଂ ଗଣ୍ଡଗୋଳ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଆଧାର କରି ପୋଲିସ ବିଧାୟକଙ୍କ ପୁଅକୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬ ଓ ୩୫୩ ଓ ଆର୍ମସ ଆକ୍ଟ ଆଧାରାରେ ମାମଲା ରୁଜୁ କରିଯାଇଛି।

ସୂଚନା ଅନୁୟାୟୀ, କଣ୍ଟାବାଞ୍ଜିସ୍ଥିତ “ଆଲିସାନ” ସିନେମା ହଲକୁ ସେଜି ତାଙ୍କ ସାଙ୍ଗ ମାନଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ହଲ ମାଲିକ ଓ ସେଜିଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ହଲ ମାଲିକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଛି ବୁଝାସୁଝା କରିବା ଲାଗି ଚେଷ୍ଟା କରିଥିଲା । ସେଠାରେ ପୋଲିସ ସହ ମଧ୍ୟ ସେଜି ସିଂଙ୍କର ଯୁକ୍ତିତର୍କ ହୋଇଥିଲା । କିଛି ସମୟର ଯୁକ୍ତିତର୍କ ପରେ ପରିସ୍ଥିତି ଶାନ୍ତ ପଡି଼ଯାଇଥିଲା । ଏହାପରେ ସେଜି ସିଂ ଘରକୁ ଚାଲିଆସିଥିଲେ । ପରେ ରାତିରେ ହଲ ମାଲିକ ସେଜି ସିଂଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ । ହଲ ମାଲିକଙ୍କ ଅଭିଯୋଗକ୍ରମେ ବିଧାୟକ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଥିଲା । ପରେ ପୋଲିସ ସେଜିଙ୍କ ଜିମରୁ ନଗଦ ୧୯ ଲକ୍ଷ ଟଙ୍କ ସହ ବିଭିନ୍ନ ବ୍ରାଣ୍ତର ପ୍ରାୟ ୧୭ ଲିଟର ମଦ ଜବତ କରିଛି ।