ଆଦାନୀ ଗ୍ରୁପରେ ନିବେଶ ଓ ଋଣ ସମ୍ପର୍କରେ ବ୍ୟାଙ୍କମାନଙ୍କୁ ସୂଚନା ମାଗିଲେ ଆରବିଆଇ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶର ବ୍ୟାଙ୍କମାନଙ୍କୁ ଆଦାନୀ ସମୂହରେ ସେମାନଙ୍କର ନିବେଶ ଓ ଋଣ ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ସେୟାର ବଜାରରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟର ହେଉଥିବା ଉଠାପକା ପରେ ଆରବିଆଇ ଏହି ତଥ୍ୟ ଚାହିଁଛନ୍ତି।
ସେପଟେ ଆଦାନୀ ଗୃପ ବୁଧବାର ତାଙ୍କର ଏଫପିଓ ପ୍ରତ୍ୟାହାର କରିନେଇଛନ୍ତି। ଏଣୁ ଗୁରୁବାର ସକାଳେ ସେୟାର ବଜାର ଖୋଲିବା ମାତ୍ରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। କୁହାଯାଉଛି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ଆଦାନୀ ସମୂହରେ ସେମାନଙ୍କ ପକ୍ଷରୁ କରାଯାଇଥିବା ନିବେଶ ଓ ଋଣର ତଥ୍ୟ ନେଇ ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେୟାରରେ ହେଉଥିବା ଉଠାପକାରେ ସେମାନଙ୍କ ଆର୍ଥିକ ସ୍ଥିତି ଯେପରି ନ ବିଗିଡେ।
ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଗୃପ ଉପରେ ହିଣ୍ଡନବର୍ଗ ରିପୋର୍ଟ ପରେ କମ୍ପାନୀଙ୍କ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଥି ମଧ୍ୟରେ ଆଦାନୀ ସମୂହ ସେମାନଙ୍କ ଏଫପିଓ ମଧ୍ୟ ପ୍ରତ୍ୟାହାର କରିଛନ୍ତି।