ବେଆଇନ ବାଲି ଖାଦାନରେ ଚଢାଉ ବେଳେ ବାଲେଶ୍ବର ଉପଜିଲ୍ଲାପାଳଙ୍କୁ ଆକ୍ରମଣ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ସହର ଉପକଣ୍ଠ ଦହପଡା ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲି ଖାଦାନରେ ଚଢଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ଆହତ ହୋଇଛନ୍ତି । ଉପଜିଲ୍ଲାପାଳଙ୍କ କାନ୍ଧରେ ସାମାନ୍ୟ ଆଘାତ ଲାଗିଥିବାବେଳେ ଡ୍ରାଇଭରଙ୍କ ମୁଣ୍ଡ ନିକଟରେ ଦୁଇଟି ଷ୍ଟିଜ୍ ପଡିଛି ।

ସୂଚନା ଅନୁସାରେ, ଗୋଟିଏ ଟ୍ରାକ୍ଟରରେ ବାଲି ଚାଲାଣ କରାଯାଉଥିବା ଖବର ପାଇ ଉପଜିଲ୍ଲାପାଳ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ଉ କରଥିଲେ । ଗାଡ଼ି ରଖି ବାଲି ଗାଡ଼ିକୁ ଚେକିଂ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମାଫିଆମାନେ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ। ଆହତ ଉପଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସ୍‌ପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖାକରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାସ୍ଥଳରେ ଏକ ପୋଲିସ୍ ଟିମ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଖିବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସାଗରିକା ନାଥ କହିଛନ୍ତି।

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି, ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରି ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ପାଇ ଉପଜିଲ୍ଲାପାଳ ଆଜି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍‌ ଉପରେ ପଥର ମାଡ଼ କରିଥିଲେ। ଉପଜିଲ୍ଲାପାଳଙ୍କ ଗାଡ଼ି ଓ ତାଙ୍କ ସହ ଥିବା ଆଉ ଗୋଟିଏ ଗାଡ଼ି ପଥରେ ମାଡ଼ରେ ଭାଙ୍ଗି ଯାଇଛି। ପରେ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ୨ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ଗିରଫ କରାଯିବ।