ବାଲେଶ୍ବର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ ଗିରଫ, ଭାଙ୍ଗିଦେଲେ ବେଆଇନ୍‌ ଇଟାଭାଟି

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ବାଲିମାଫିଆଙ୍କ ଆକ୍ରଣ ଘଟଣାରେ ପୋଲିସ ମୋଟ ୧୧ ଜଣ ଅଭିଯୁ୍କ୍ତ ଗିରଫ କରିଛି । ସହଦେବଖୁଣ୍ଟା ଥାନା ପୁଲିସ ୮ ଜଣ ପୁରୁଷ ଓ ଜଣ ୩ ମହିଳାଙ୍କୁ ଗିରଫ କରିଛି।

ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦହପଡ଼ା ଓ କଣ୍ଟାବଣିଆ ଗାଁରେ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଦହପଡାରେ ଚାଲିଥିବା ଗୋଟିଏ ଇଟାଭାଟିକୁ ଉଚ୍ଛେଦ କରାଯାଇଛି । ଘଟଣା ସ୍ଥଳରେ ୧୪୪ ଧାରା ଜାରି ରହିଛି। ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଦହପଡା ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ଉ ବେଳେ ବାଲି ମାଫିଆମାନେ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ।