ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍ ଥିବା ଜଣାଯାଇଛି । ୨୦୨୦-୨୧ରେ ଶେଷଥର ସାର୍ବଜନୀନ ହୋଇଥିବା ପରିସଂଖ୍ୟାନ ମୁତାବକ ଭାରତରେ ୧୩୨ କୋଟି ଜନବସତି ମଧ୍ୟରୁ ୮.୨୨ କୋଟି ଟିକସଦାତା ଥିଲେ । ଏମାନଙ୍କ ମଧ୍ୟରୁ ୭.୫ କୋଟି ଜିରୋ ଟ୍ୟାକ୍ସ ପରିଧି ମଧ୍ୟରେ ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ ଏକ ବୃହତ ଜନବସତିର ବହୁ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ମୋଟା ଅଙ୍କର ରୋଜଗାର କରୁଥିଲେ ବି କୌଣସି ଟିକସ ଦେଇନାହାନ୍ତି । ଏହା ଉପରେ କେବଳ ସରକାର ନୁହନ୍ତି ବରଂ ଅର୍ଥନୀତିଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ଏପରିସ୍ଥଳେ ପାଖାପାଖି ୧.୫ କୋଟି ଟିକସଦାତାଙ୍କ ପାଖରୁ କେନ୍ଦ୍ର ସରକାର ଆୟକର ଟ୍ୟାକ୍ସ ସଂଗ୍ରହ କରିଛନ୍ତି । ଭାରତରେ ଇନ୍‌କମ୍ ଟ୍ୟାକ୍ସ ସଂଗ୍ରହର ୪୮ ପ୍ରତିଶତ ଅଂଶୀଦାର ଉତ୍ତରପ୍ରଦେଶ-ବିହାର ଓ ମଧ୍ୟପ୍ରଦେଶ ସମେତ ୫ ରାଜ୍ୟରୁ ହୋଇଥାଏ । କିନ୍ତୁ ଯଦି ଆମେ ଆମେରିକା କଥା ଚିନ୍ତା କରିବା ତେବେ ସେଠିକାର ଜନବସତିର ୬୦ ପ୍ରତିଶତ ଇନ୍‌କମ୍ ଟ୍ୟାକ୍ସ ଭରଣା କରିଥାନ୍ତି ।

ଅର୍ଥମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ବିବୃତ୍ତି ଅନୁଯାୟୀ ୨୦୨୧- ୨୨ ଆର୍ଥିକ ବର୍ଷରେ ୧୦ଲକ୍ଷରୁ ୧ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭ଲକ୍ଷ । ସେହିପରି ୱେଲଥ୍ ଇଣ୍ଡିଆ-୨୦୨୧ର ରିପୋର୍ଟ ଅନୁଯାୟୀ ଦେଶରେ ଗୋଟିଏ ବର୍ଷ ମଧ୍ୟରେ ୭ କୋଟିରୁ ଅଧିକ ସଂପତ୍ତିଧାରୀଙ୍କ ସଂଖ୍ୟା ୧୧ ପ୍ରତିଶ ବୃଦ୍ଧି ପାଇ ୪.୫୮ ଲକ୍ଷ କୋଟିରେ ପହଂଚିଛି ।