ଆର୍ଥିକ ସଂକଟରୁ ବାହାରିବା ପାଇଁ ପରମାଣୁ ଅସ୍ତ୍ର ବିକ୍ରି ସଉଦା କରୁଛି ପାକିସ୍ତାନ !

ଇସଲାମାବାଦ : (ସଂକେତ୍ ଟିଭି) ପରମାଣୁ ଅସ୍ତ୍ରକୁ ବିକ୍ରି କରିବାକୁ ଉଦ୍ୟମ ଚଳାଇଛି ପାକିସ୍ତାନ। ତେହରିକ୍-ଏ-ତାଲିବାନ ପାକିସ୍ତାନ ସଂଗଠନ ଦ୍ବାରା ଜାରି ହୋଇଥିବା ଚିଠିରେ ଏହା ପ୍ରକାଶ ପାଇଛି । ଯାହାକୁ ନେଇ ପାକିସ୍ତାନ ସରକାର ବିବାଦ ଭିତରକୁ ଟାଣି ହୋଇଛନ୍ତି ।

ପାକିସ୍ତାନ ସେନା ଦ୍ବାରା ଜାରି ହୋଇଥିବା ଫତଓ୍ବା ବିବାଦ ପରେ ତେହରିକ୍-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ପାକିସ୍ତାନ ଜନତାଙ୍କ ନାଁରେ ଚିଠି ଜାରି କରିଛି । ଯାହାକୁ ନେଇ ପାକିସ୍ତାନ ସରକାର ଓ ସେନା ଦୁହେଁ ମୁସ୍କିଲ୍‌ରେ ପଡ଼ିଯାଇଛନ୍ତି । ପାକିସ୍ତାନ ଜନତା ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଆତଙ୍କବାଦୀ ସଂଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନରେ ଟ୍ରେନିଂ ନେଇ ଭସ୍ମାସୁର ଭଳି ପାକିସ୍ତାନ ମୁଣ୍ଡ ଉପରେ ହାତ ରଖିବାକୁ ଉଦ୍ୟମ କରୁଛି ।

ତେହରିକ୍-ଏ-ତାଲିବାନ ଚିଠିରେ ଦେଶର ଆର୍ଥିକ ସଂକଟ ପାଇଁ ପାକିସ୍ତାନ ସରକାର ଓ ସେନାର ଜେନେରାଲଙ୍କୁ ଦାୟି କରିଛି । ତେହରିକ୍-ଏ-ତାଲିବାନ ପାକିସ୍ତାନର ସଦସ୍ୟମାନେ ଘର ଘର ବୁଲି ଏହାକୁ ନେଇ ଲୋକଙ୍କୁ ବୁଝାଉଥିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ପାକିସ୍ତାନର ଆର୍ଥିକ ସଂକଟ ସମୟରେ ସରକାରଙ୍କ ଭ୍ରଷ୍ଟ ରାଜନେତା ଓ ସେନା ଜେନେରାଲ ଦେଶକୁ ଲୁଟିବାରେ ବ୍ୟସ୍ତ ରହିଛନ୍ତି । ଲୋକଙ୍କ ମୁହଁରୁ ଆହାର ଛଡ଼ାଇବାକୁ ମୌକା ଖୋଜୁଛନ୍ତି । ଏପରିକି ପାକିସ୍ତାନ ବୈଜ୍ଞନିକଙ୍କ ପରିଶ୍ରମକୁ ମଧ୍ୟ ଫସର ଫଟେଇବାକୁ ଯୋଜନା କରିଛନ୍ତି । ଭ୍ରଷ୍ଟ ସରକାର ଭୟଙ୍କର ପରମାଣୁ ବମ୍‌ ବିକ୍ରି କରିବାକୁ ସଉଦା କରିଥିବା ତେହରିକ୍-ଏ-ତାଲିବାନ ପାକିସ୍ତାନ ସଂଗଠନ ଚିଠି ପ୍ରକାଶ କରିଛି ।