କର୍ଣ୍ଣାଟକର ପ୍ରଭାରୀ ଭାବେ ନିଯୁକ୍ତି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଗାମୀ କର୍ଣ୍ଣାଟକରେ ହେବାକୁ ଥିବା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ବ ଦେଇଛନ୍ତି।
ଧର୍ମେନ୍ଦ୍ର ପୂର୍ବରୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ବ ନେଇଥିଲେ। ନିର୍ବାଚନ ଦାୟିତ୍ବ ନେଇ ସେ ଦଳକୁ ବଡ ସଫଳତା ଦେଇଥିଲେ। ଗତ ନିର୍ବାଚନ ପରେ କର୍ଣ୍ଣାଟକରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କ୍ରାଇସିସ ମ୍ୟାନେଜର ଭାବେ ସେ ଦାୟିତ୍ବ ତୁଳାଇଥିଲେ । 2021 ଜୁଲାଇ ମାସରେ ଯେତେବେଳେ କର୍ଣ୍ଣାଟକର ରାଜନୈତିକ ସଂକଟ ଉପୁଜିଥିଲା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେଇଥିଲେ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା, ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା ।
ପୂର୍ବରୁ 2011 ରୁ 2013 ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ଦାୟିତ୍ୱରେ ଥିବା କାରଣରୁ ରାଜ୍ୟର ସମସ୍ତ ପ୍ରଭାବଶାଳୀ ନେତାଙ୍କୁ ଭଲ ଭାବେ ଜାଣିଥିବା ଏବଂ ସବୁ ନିର୍ବାଚନ ମଣ୍ଡଳୀକୁ ଭଲ ଭାବେ ପରଖିଥିବା ନେତା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ପୂର୍ବରୁ 2012ରେ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ସମସ୍ୟାର ସମାଧାନ କରିପାରିଥିଲେ ।
2018ରେ ମଧ୍ୟ କର୍ଣ୍ଣାଟକ ସରକାର ସଂକଟ ଥିବା ସମୟରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଙ୍ଗାଲୁରୁ ଗସ୍ତ କରି ସରକାର ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । 2021ରେ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରଭାରୀ ଭାବରେ ମଧ୍ୟ ପାର୍ଟି ତାଙ୍କୁ ଦାୟିତ୍ୱ ଦେଇଥିଲା ଏବଂ ଉତ୍ତରପ୍ରଦେଶରେ ସରକାର ମଧ୍ୟ ବିଜେପି ଗଠନ କରିଥିଲା । 2013ରେ ଛତିଶଗଡ଼ର ସରକାର ଗଠନ ହେଉ କିମ୍ବା 2014ରେ ନିର୍ବାଚନୀ କିମ୍ବା 2017ରେ ଉତ୍ତରାଖଣ୍ଡର ସରକାର ଗଠନ– ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି ।
ନିକଟରେ 2021ରେ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିର ପ୍ରଚାର ଏବଂ ରଣନୀତିର ଦାୟିତ୍ୱ ଦିଆଯାଇଥିଲା । ସେଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପରାଜିତ କରିଥିଲେ ।