FeaturedLatestSports

ବିନୋଦ କାମ୍ବ୍‌ଲିଙ୍କ ନାଁରେ ରୁଜୁ ହେଲା ପତ୍ନୀ ନିର୍ଯାତନା ମାମଲା

ମୁମ୍ବାଇ : (ସଂକେତ୍ ଟିଭି) ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ବିନୋଦ କାମ୍ବ୍‌ଲିଙ୍କ ନାମରେ ମୁମ୍ବାଇ ପୋଲିସ ପତ୍ନୀଙ୍କୁ ମାରଧର କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛି। କାମ୍ବଲି ନିଶାସକ୍ତ ଅବସ୍ଥାରେ ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟ୍‌ରେ ପତ୍ନୀ ଆଣ୍ଡ୍ରିଆ ହିୱିଟ୍‌ ଙ୍କୁ ଗାଳିଗୁଲଜ ଦେବା ସହିତ ମାଡପିଟ୍ କରିଥିବା ଅଭିଯୋଗ ହୋଇଛି।

ପତ୍ନୀ ଆଣ୍ଡ୍ରିଆ ଅଭିଯୋଗ କରିଛନ୍ତି ଯେ, କାମ୍ବ୍‌ଲି ଗୋଟାଏ ତାୱା ହ୍ୟାଣ୍ଡଲ୍‌ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଶୁକ୍ରବାର ଦିନ ୧ରୁ ୧.୩୦ ମଧ୍ୟରେ ଘଟଣାଟି ଘଟିଥିଲା। ସେତେବେଳେ ନିଶାସକ୍ତ ଅବସ୍ଥାରେ କାମ୍ବ୍‌ଲି ବାନ୍ଦ୍ରା ଫ୍ଲାଟ୍‌ରେ ପହଞ୍ଚି ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ସେତେବେଳେ ଘରେ ଉପସ୍ଥିତ ଥିବା ସେମାନଙ୍କ ୧୨ ବର୍ଷିୟ ପୁଅ ହସ୍ତକ୍ଷପ କରି ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, କାମ୍ବ୍‌‌ଲି ରୋଷଇ ଘରକୁ ଧାଇଁ ଯାଇ ଗୋଟାଏ ଭଙ୍ଗା ତାୱା ହ୍ୟାଣ୍ଡେଲ୍‌ ଉଠାଇ ପତ୍ନୀଙ୍କ ଉପରକୁ ଫିଙ୍ଗିଥିଲେ। ଥାନାକୁ ଯିବା ଆଗରୁ କାମ୍ବ୍‌ଲିଙ୍କ ପତ୍ନୀ ଭାଭା ହସ୍ପିଟାଲ୍‌ ଯାଇ ଚିକିତ୍ସିତ ହୋଇ ଆସିଥିଲେ। ଏହି ମାମଲାର ତଦନ୍ତ ଚାଲିଛି । କାମ୍ବଲିଙ୍କୁ ଗିରଫ କରାଯାଇନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।