ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ପରଲୋକ
ଦୁବାଇ : (ସଂକେତ୍ ଟିଭି) ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଅବସରପ୍ରାପ୍ତ ଜେନେରାଲ୍ ପରଭେଜ୍ ମୁସାରଫଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁସାରଫ । ଚିକିତ୍ସାଧୀନ ଅବସ୍ଥାରେ ଦୁବାଇର ଆମେରିକାନ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।
୨୦୧୬ରୁ ସେ ଦୁବାଇରେ ବାସ କରୁଥିଲେ। ପୂର୍ବତନ ରାଷ୍ଟ୍ରପତି ତଥା ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ ୭୯ ବର୍ଷିୟ ମୁଶରଫ୍ ‘ଆମିଲଇଡୋସିସ୍’ ନାମରେ ଏକ ବିରଳ ରୋଗଦ୍ବାରା ଆକ୍ରାନ୍ତ ହୋଇଥିଲେ। ସମଗ୍ର ଶରୀର ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁରେ ‘ଆମିଲଇଡ୍’ ନାମରେ ଗୋଟାଏ ପ୍ରୋଟିନ୍ ଜମିବାରୁ ତାଙ୍କୁ ଏହି ରୋଗ ହୋଇଥିଲା ବୋଲି ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁଗୁଡ଼ିକ ଠିକ୍ ଭାବେ କାମ କରୁ ନ ଥିଲେ। ଚିକିତ୍ସା ଲାଗି ତାଙ୍କୁ କିଛି ମାସ ହେବ ସଂଯୁକ୍ତ ଆରବ ଏମିରେଟସ୍ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
୧୯୯୯ରେ ସେନା ବିଦ୍ରୋହ ପରେ ମୁଶରଫ୍ ପାକିସ୍ତାନ କ୍ଷମତାସୀନ ହୋଇଥିଲେ। ଏହାର ୯ ବର୍ଷ ପରେ ଗଣ ଆନ୍ଦୋଳନ ଯୋଗୁଁ କ୍ଷମତାରୁ ଓହରି ଯାଇଥିଲେ। ୨୦୧୬ରେ ତାଙ୍କ ବିରୋଧ ଦେଶଦ୍ରୋହ ବିଚାର ଚାଲିଥିବା ବେଳେ ସେ ପାକିସ୍ତାନରୁ ଚାଲିଯାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ବିଦେଶ ଯାଉଥିବା କଥା ତାଙ୍କ ଓକିଲ କହିଥିଲେ।
ସେବେଠାରୁ ସେ ଇଂଲଣ୍ଡ ଓ ମଧ୍ୟପ୍ରାଚ୍ୟରେ ଆତ୍ମନିର୍ବାସିତ ହୋଇ ବାସ କରୁଥିଲେ। କିନ୍ତୁ, ଗତବର୍ଷ ଜୁଲାଇ ମାସରେ ମୁଶରଫ ପାକିସ୍ତାନ ଫେରିଆସି ବାକି ଜୀବନ କଟାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପାକିସ୍ତାନ ସେନା ମଧ୍ୟ ତାଙ୍କ ଇଚ୍ଛାକୁ ସ୍ବୀକୃତି ଦେଇଥିଲା। କିନ୍ତୁ, ରାଜନୈତିକ ବିରୋଧ ଯୋଗୁଁ ତାଙ୍କର ଆଶା ପୂରଣ ହୋଇ ପାରି ନ ଥିଲା।
ପରଭେଜ୍ ମୁଶାରଫ୍ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ସେ ପାକିସ୍ତାନୀ ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ଭାରତ-ପାକିସ୍ତାନ କାର୍ଗିଲ ଯୁଦ୍ଧ ପାଇଁ ମୁଶାରଫ୍ଙ୍କୁ ଦାୟୀ କରାଯାଇଥିଲା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ଲଢିଲେ ମୁଶାରଫ୍ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଉଲ୍ଲେଖଯୋଗ୍ୟ, ୧୯୪୭ରେ ପରୱେଜ୍ଙ୍କ ପରିବାର ନୂଆଦିଲ୍ଲୀରୁ କରାଚୀ ଚାଲିଯାଇଥିଲେ। ୧୯୬୪ରେ ପାକିସ୍ତାନ ସେନାରେ ଯୋଗ ଦେଇଥିବା ପର୍ୱେଜ୍ କ୍ବେଟ୍ଟାସ୍ଥିତ ‘ଆର୍ମି ଷ୍ଟାଫ୍ ଆଣ୍ଡ୍ କମାଣ୍ଡ୍ କଲେଜ୍’ର ସ୍ନାତକ।