ନବ ଦାସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : (ସଂକେତ୍ ଟିଭି) ନବ ଦାସଙ୍କ ହତ୍ୟାକାଣ୍ଡ ଏବଂ ଏହାର ତଦନ୍ତ ପ୍ରକ୍ରିୟା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ଜାହିର କରିଛନ୍ତି । ଏହା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ, ରାଜନୀତିରେ ହିଂସାର ସ୍ଥାନ ନାହିଁ । ପୋଲିସ ପାଖରେ ଆଜି ପର୍ଯ୍ୟନ୍ତ ସୁରାକ ନାହିଁ । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ନିର୍ମମ ହତ୍ୟା କରିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲାନି । ତଦନ୍ତର ମୂଳଦୁଆକୁ ନେଇ ଅସାମଞ୍ଜସ୍ୟ ରହିଛି । ଏହି ଘଟଣାର ସପ୍ତାହେ ପରେ ଡିଜି କହିବା ଜଗନ୍ନାଥ ଭରଷା ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ଦେଉଛି ।

ସେହିପରି କମିଶନ ଆକ୍ଟ ରେ ନ୍ୟାୟାଧିସଙ୍କୁ ନିଯୁକ୍ତି କରା ଯାଇନି। ନବ ଦାସଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ । ଓଡିଶା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ । ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ ।

ଅନ୍ୟପଟେ ପୋଲିସ ଉପରେ ମାଫିଆଙ୍କ ଡର ନଥିବାରୁ ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ ଉପରେ ଆକ୍ରମଣ କରିଛନ୍ତି । ଏନଫୋର୍ସମେଣ୍ଟ ଏଜେନ୍ସି ତାର ମୂଳ କାମରେ ନାହିଁ । ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାର ସ୍ଥିତି ବଡ଼ ଗମ୍ଭୀର ବୋଲି ସେ କହିଛନ୍ତି ।