୨୯ ଟଙ୍କାରେ ସରକାର ଯୋଗାଇବେ ଭାରତ ଅଟା
ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ସରକାର ଖୁବ୍ ଶୀଘ୍ର କମ୍ ମୂଲ୍ୟରେ ଅଟା ମଇଦା ଯୋଗାଣ ଆରମ୍ଭ କରିବାକୁ ଯାଉଛନ୍ତି। ଗ୍ରାହକମାନେ ଖୋଲା ବଜାର ବିକ୍ରୟ ଯୋଜନା ଅନ୍ତର୍ଗତ ଅଟା କିଲୋଗ୍ରାମ ପିଛା ୨୯ ଟଙ୍କା ୫୦ ପଇସାରେ କିଣିପାରିବେ। ସରକାର ଏହାକୁ ‘ଭାରତ ଅଟା’ ନାମରେ ବିକ୍ରି କରିବେ। ଏହାର ବିକ୍ରି ୬ ଫେବୃଆରୀରୁ ଆରମ୍ଭ ହେବ।
କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ସରକାରୀ ଆଉଟଲେଟରୁ ଅଟା କିଲୋଗ୍ରାମ ପିଛା ଟ ୨୯.୫୦ ଟଙ୍କା କ୍ରୟ କରାଯାଇପାରିବ। ଏଥିରେ ସୂଚନା ଦିଆଯାଇଛି ଯେ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ଏବଂ ନ୍ୟାସନାଲ ଫାଉଣ୍ଡେସନ୍ ଫର କ୍ରେଡିଟ୍ କାଉନସେଲିଂ (ଏନ୍ଏଫ୍ସିସି) ଏହାକୁ ଫେବୃଆରୀ ୬ ରୁ ବିକ୍ରି ଆରମ୍ଭ କରିବ। ବର୍ତ୍ତମାନ ଦେଶରେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୪୨-୪୫ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନର ଉଚ୍ଚ ଦରଦାମ୍ ପରିସ୍ଥିତିରେ ସରକାରଙ୍କ ଏହି ଯୋଜନା ଲୋକଙ୍କୁ କମ୍ ମୂଲ୍ୟରେ ଅଟା ଉପଲବ୍ଧ କରାଇବ।
କେନ୍ଦ୍ରୀୟ ଭଣ୍ଡାର, ନାଫେଡ ଏବଂ ଏନସିସିଏଫ୍ ଭଳି ଏଜେନ୍ସିଗୁଡ଼ିକ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଡିପୋରୁ ୩ ଏଳ୍ଏମ୍ଟି ପର୍ଯ୍ୟନ୍ତ ଗହମ ଉଠାଇବେ। ଏହାପରେ ସେହି ଗହମକୁ ଅଟାରେ ପରିଣତ କରିବା ପରେ ଖୁଚୁରା ଦୋକାନ ଏବଂ ସରକାରୀ ଆଉଟଲେଟ୍ ମାଧ୍ୟମରେ ଗ୍ରାହକଙ୍କୁ ୨୯ ଟଙ୍କା ୫୦ ପଇସାରେ ଅଟା ଦିଆଯିବ।