ଆଦାନୀ ପ୍ରସଙ୍ଗକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଦାନୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିଛି । ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌କୁ ମୋଦୀ ସରକାର ଘଣ୍ଟ ଘୋଡାଉଥିବା ଅଭିଯୋଗ କରି କଂଗ୍ରେସ ଏହାର ତଦନ୍ତ କରିବାକୁ ଦାବି କରିଛି।

ଆଦାନୀ ପ୍ରସଙ୍ଗକୁ ନେଇ ଲାଗାତର ସଂସଦର ଉଭୟ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି । ଏପରିକି ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି। ଯେଉଁଥି ପାଇଁ ଆଜି ମଧ୍ୟ ଗୃହକୁ ମୁଲତବୀ କରାଯାଇଛି। ସେପଟେ କଂଗ୍ରେସ ଆଦାନୀ ପ୍ରସଙ୍ଗକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରିଛି ।

ଆଦାନୀ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ଦାବି କରିଥିଲେ ହେଁ ଏହାକୁ ଉଭୟ ଗୃହରେ ଅଗ୍ରାହ୍ୟ କରିଦିଆଯାଇଥିଲା। ତେଣୁ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସୋମବାର ଦେଶବ୍ୟାପୀ ବିକ୍ଷୋଭ କରୁଛି। ସଂସଦ ଭବନ ପରିସର ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ସମସ୍ତ କଂଗ୍ରେସ ସାଂସଦ ବିକ୍ଷୋଭ କରୁଥିବା ବେଳେ ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ସଂସଦ ଭବନ ନିକଟସ୍ଥ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏହାଛଡ଼ା ଦେଶବ୍ୟାପୀ ସମସ୍ତ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିଛନ୍ତି।