Latest

ସିସୋର ଚିଟଫଣ୍ଡ ଠକେଇ ମାମଲା : ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ବଡ ଝଟକା

କଟକ : (ସଂକେତ୍ ଟିଭି) ସିସୋର ଚିଟଫଣ୍ଡ ଠକେଇ ମାମଲା, ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ସେ ସିବିଆଇ ପକ୍ଷରୁ ଦାୟର ହୋଇଥିବା ଚାର୍ଜସିଟ୍ ଏବଂ ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ଉଭୟ ସିବିଆଇ ଏବଂ ରବୀନ୍ଦ୍ର ଜେନା ପକ୍ଷ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବାପରେ ହାଇକୋର୍ଟ ଶ୍ରୀ ଜେନାଙ୍କ ଆବେଦନ ଖାରଜ କରିଦେଇଛନ୍ତି ।

ସିସୋର ଚିଟଫଣ୍ଡ ସଂସ୍ଥା ଠାରୁ ପଇସା ନେଇ ସଂସ୍ଥା ମାଲିକଙ୍କୁ ରାଜନୈତିକ ସୁରକ୍ଷା ରବିନ୍ଦ୍ର ଜେନା ଦେଉଥିଲେ ବୋଲି ସିବିଆଇ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଭୁବନେଶ୍ୱର ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା । ସିବିଆଇ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଓ ଏଫଆଇଆରକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ରବିନ୍ଦ୍ର ଜେନା । ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି ।

ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲାର ପରିଚାଳନା କରୁଥିବା ବେଳେ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖାନ୍ନା ପରିଚାଳନା କରୁଥିଲେ ।