ସୋର ଜେଲ୍ ରୁ ପୁଣି ଜଣେ ବିଚାରାଧୀନ କଏଦୀ ଫେରାର
ସୋର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସୋର ଉପ କାରଗାରରୁ ପୁଣି ଜଣେ ବିଚାରଧୀନ କଏଦୀ ଫେରାର ହୋଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ସେ ଫେରାର ହେବାନେଇ ଆଜି ସକାଳେ ସୋର ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିଦେଇପୁର ଗ୍ରାମର ସତ୍ୟଜିତ ମଳିକ (୨୦)ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ସତ୍ୟଜିତ ଏକ ଚୋରି କେଶରେ ଭଦ୍ରକ ଜେଲରେ ବିଚାରାଧିନ କଏଦୀ ଭାବେ ରହୁଥିବା ବେଳେ ଗତ ୧୮ ତାରିଖରେ ଭଦ୍ରକ ଜେଲରୁ ସୋର ଉପକାରଗାରକୁ ଆସିଥିଲେ। ଗତକାଲି ସନ୍ଧ୍ୟା ସମୟରେ କଏଦୀଙ୍କୁ ଖାଦ୍ୟ ଦିଆଯାଉଥିବା ସମୟରେ ସେ ପାଚେରୀ ଡେଇଁ କେଉଁ ଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସନ୍ଧ୍ଯାରେ କଏଦୀ ମାନଙ୍କ ଉପସ୍ଥାନ ନିଆଯିବା ସମୟରେ କର୍ମଚାରୀମାନେ ଜାଣିପାରି ଜେଲ ଅଧିକ୍ଷକଙ୍କୁ ଜଣାଇଥିଲେ। ଜେଲ କର୍ମଚାରୀ ମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ସୋର ଉପକାରାଗାର ଅଧିକ୍ଷକ ଆଜି ସକାଳେ ସୋର ଥାନାରେ କଏଦୀ ଜଣଙ୍କ ଫେରାର ହୋଇଯାଇଥିବା ନେଇ ଏକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ମୂଳେ ତଦନ୍ତ ଆରମ୍ଭ କରିଛି।