କିଭଳି ମାତ୍ର ୯ ବର୍ଷରେ ବିଶ୍ୱ ଧନୀ ତାଲିକାରେ ୨ନମ୍ବର ସ୍ଥାନକୁ ଆସିଲେ ଆଦାନୀ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : (ସଂକେତ ଟିଭି) ଆଦାନୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ତାଙ୍କ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବିଦେଶ ଗ୍ରସ୍ତ ଦେଶର ବିକାଶ ପାଇଁ ନୁହେଁ ବରଂ ଆଦାନୀ ଗ୍ରୁପର ବିକାଶ ପାଇଁ ହେଉଛି । ଏନେଇ ସେ ସରକାରଙ୍କୁ ପ୍ରଶ୍ନ ଛଳରେ ପଚାରିଛନ୍ତି କି, ବିଶ୍ୱ ଧନୀ ତାଲିକାରେ ଆଦାନୀ ୨୦୧୪ ମସିହାରେ ୬୦୯ ନମ୍ବର ସ୍ଥାନରେ ଥିବା ବେଳେ ଏତେଶୀଘ୍ର ସେ କିଭଳି ୨ନମ୍ବର ସ୍ଥାନକୁ ଆସିଲେ ? ଏନେଇ ସେ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଣ ସଂପର୍କ ରହିଛି ବୋଲି କଟାକ୍ଷ କରିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ୪ଟି ପ୍ରଶ୍ନ କରିଛନ୍ତି । ପ୍ରଥମ ପ୍ରଶ୍ନରେ ସେ ପଚାରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ମିଳିତ ଭାବେ କେତେଥର ବିଦେଶ ଗସ୍ତ କରିଛନ୍ତି । ଦ୍ୱିତୀୟ ପ୍ରଶ୍ନ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବା ବେଳେ ଗୌତମ ଆଦାନୀ ତାଙ୍କୁ କେତେଥର ଭେଟିବାକୁ ଯାଇଛନ୍ତି । ତୃତୀୟ ପ୍ରଶ୍ନ ଭାବେ ସେ ପଚାରିଛନ୍ତି କି, ପ୍ରଧାନମନ୍ତ୍ରୀ ଗୋଟିଏ ଦେଶ ଗସ୍ତକରି ଫେରିବା ପରେ ଗୌତମ ଆଦାନୀ ତୁରନ୍ତ ସେହି ଦେଶକୁ କାହିଁକି ଗସ୍ତ କରୁଥିଲେ । ପ୍ରଧାନମନ୍ତ୍ରୀ ଯେଉଁଦେଶ ଗସ୍ତ କରି ଫେରୁଥିଲେ ତା ପରେ କିଭଳି ଭାବେ ଆଦାନୀ ଗ୍ରୁପ ସେହି ଦେଶରେ ନିଜର ବ୍ୟବସାୟ ଆରମ୍ଭ କରୁଥିଲେ ।