ତୁର୍କୀ ଓ ସିରିୟାରେ ପକ୍ଷୀମାନେ ଦେଇଥିଲେ ଭୂକମ୍ପ ସୂଚନା
ନୂଆଦିଲ୍ଲୀ : (ସଂକେତ ଟିଭି) ତୁର୍କୀ, ସିରିୟା ସହିତ ୪ଗୋଟି ଦେଶରେ ହୋଇଥିବା ଭୂକମ୍ପରେ ବହୁ ପରିମାଣରେ ଧନଜୀବନ ହାନୀ ଘଟିଛି । ୫ ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି । ତୁର୍କୀର ଭୂକମ୍ପକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର କଥା କହୁଥିବା ବେଳେ ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଏହି ଭୂକମ୍ପ ସହ ସମ୍ବନ୍ଧିତ ।
ଏହି ଭିଡିଓରୁ ଜଣାପଡୁଛି ଯେ, ପକ୍ଷୀମାନେ ଏହି ଭୟଙ୍କର ଭୂକମ୍ପ ବିଷୟରେ ଆଗୁଆ ସୂଚନା ପାଇଥିଲେ ଓ ସତର୍କ ବି କରାଇ ଦେଇଥିଲେ । ଏହି ଭିଡିଓଟିକୁ ସର୍ବପ୍ରଥମେ ଜିଓପଲିଟିକ୍ସ ସିକ୍ୟୁରିଟି ସହ ଜଡିତ ଏକ ଚ୍ୟାନେଲ୍ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛି । ଏହାପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହାକୁ ସେୟାର କରିଛନ୍ତି ଓ ଏହାର କ୍ୟାପସନରେ ଲେଖିଛନ୍ତି ନେଚର ଆଲାର୍ମ ସିଷ୍ଟମ ।
ଭିଡିଓରେ ତୁର୍କୀ ଆକାଶରେ ପକ୍ଷୀଙ୍କ କୋଳାହଳ ଦେଖିବାକୁ ଓ ଶୁଣିବାକୁ ମିଳୁଛି । ହଜାର ହଜାର ସଂଖ୍ୟାରେ ପକ୍ଷୀ ସହର ଆକାଶରେ ଏକତ୍ରୀତ ହୋଇ କୋଳାହଳ କରୁଥିବାର ଦେଖାଯାଉଛି । ଚ୍ୟାନେଲ ପକ୍ଷରୁ ଦାବୀ କରାଯାଇଛି ଯେ, ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର କିଛି ସମୟ ପୂର୍ବରୁ ତୁର୍କୀ ଆକାଶରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା ।
ଭିଡିଓରେ କ୍ୟାପସନରେ ଲେଖାଯାଇଛି ଯେ, ତୁର୍କୀରେ ଭୂକମ୍ପର ଠିକ୍ କିଛି ସମୟ ପୂର୍ବରୁ ପକ୍ଷୀମାନଙ୍କ ମଧ୍ୟରେ ଅଜବ ବ୍ୟବହାର ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଏବେ ୨୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ତେବେ ତୁର୍କୀରେ ଭୂକମ୍ପ ନେଇ ନେଦରଲ୍ୟାଣ୍ଡର ବୈଜ୍ଞାନିକ ଫ୍ରାଙ୍କ ହୋଗରବିଟସ୍ ୩ ଫେବୃୟାରୀରେ ଏକ ଟୁଇଟ୍ ମଧ୍ୟ କରିଥିଲେ । ଏଥିରେ ସେ ଭୂକମ୍ପକୁ ନେଇ ଭବିଷ୍ୟବାଣୀ ବି କରିଥିଲେ । ସେ ଲେଖିଥିଲେ ଦକ୍ଷିଣ କେନ୍ଦ୍ରୀୟ ତୁର୍କୀ, ଜୋର୍ଡାନ, ସିରିୟା ଓ ଲେବାନନରେ ୭.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବ ।