ପୁଣି ଆରବିଆଇ ବଢାଇଲା ରେପୋ ରେଟ୍, ମହଙ୍ଗା ହେବ ଇଏମଆଇ
ମୁମ୍ବାଇ : (ସଂକେତ ଟିଭି) ନୂଆ ବର୍ଷ ୨୦୨୩ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପୁଣିଥରେ ରେପୋ ରେଟ୍ ବଢାଇଛି । ଗତବର୍ଷ ଏବଂ ଚଳିତ ବର୍ଷରେ ଆଜି ରୋପା ରେଟ୍ ବୃଦ୍ଧି ସହ କ୍ରମାଗତ ଷଷ୍ଠଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ରେ ବୃଦ୍ଧି ନେଇ ଘୋଷଣା କରିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ୍ ବଢ଼ାଇବା ଫଳରେ ଏବେ ରେପୋ ରେଟ୍ ୬.୨୫ରୁ ବଢି ୬.୫୦ ପ୍ରତିଶତ ହୋଇଛି। ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆରବିଆଇର ମୁଦ୍ରା ସମୀକ୍ଷା ନୀତି ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ହାରରେ ଏହି ପରିବର୍ତ୍ତନ ଘୋଷଣା କରିଛନ୍ତି ।
ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି। ମୁଦ୍ରାସ୍ଫୀତିଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଂଗ୍ରାମ ମଧ୍ୟ ଚାଲିଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି। ଯେଉଁଥି ପାଇଁ ଆମେ ମଧ୍ୟ ରେପୋ ରେଟ୍ ବୃଦ୍ଧି ପରିବା ଭଳି କଠୋର ନିଷ୍ପତ୍ତି ନେଉଛୁ।
ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ ଇଏମଆଇ ଭାର ବୃଦ୍ଧି ହେବ।
ରେପୋ ରେଟ୍ କ’ଣ?
ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ଉପରେ ସୁଧ ହାର ବୃଦ୍ଧି ପାଇବ।