ଭୂକମ୍ପ ସମ୍ବେଦନଶୀଳ ଜୋନ୍‌‌ରେ ଓଡ଼ିଶାର ୭ ସହର

ଭୁବନେଶ୍ୱର : (ସଂକେତ ଟିଭି) ତୁର୍କି ଓ ସିରିଆ ଭୂମିକମ୍ପ ଏବେ ସାରା ବିଶ୍ବରେ ଥିବା ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଓଡ଼ିଶା ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ, ମାତ୍ର ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶା ପାଇଁ ଉଭୟ ଭୂକମ୍ପ ଓ ସୁନାମୀର ଭୟ ସଞ୍ଚାର ହୋଇଛି। ଅନ୍ୟପଟେ ତାଳଚେର ପାଇଁ ପରିବେଶବିତମାନେ ବିଶେଷ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ଖଣି ଖନନ ହେଉଥିବା ବେଳେ ଏହାକୁ ପୋତା ନ ଯାଇ ଛାଡ଼ି ଦିଆଯାଉଛି। ଯାହାକି ଭୂସ୍ଖଳନ ପାଇଁ ଏକ ବଡ଼ କାରଣ ସାଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସାଂସଦ ଭର୍ତ୍ତୃହରି ମହାତାବ ମଧ୍ୟ ଏହାକୁ ନେଇ ସଂସଦରେ ଉଦ୍‌‌ବେଗ ପ୍ରକାଶ କରିଛନ୍ତି।

୨୦୨୦ ମସିହାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୭ଟି ବଡ଼ ସହର ଓ ଏହାର ପାଖାପାଖି ଅଞ୍ଚଳ ଅତି ସମ୍ୱେଦନଶୀଳ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି। ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ପୁରୀ, ବାଲେଶ୍ୱର ଓ ଭଦ୍ରକ ଆଦି ରହିଛି। ଏହାବ୍ୟତୀତ ପାରାଦୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ମଧ୍ୟ ଏହି ତାଲିକାରୁ ବାଦ୍‌‌ ପଡ଼ି ନାହିଁ। ଭୂତଳ ଜଳ ଉତ୍ତୋଳନ, ବଡ଼ ଅଟ୍ଟାଳିକା ନିର୍ମାଣ, ଖଣି ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ଭର୍ତ୍ତି କରା ନ ଯିବା ଯୋଗୁଁ ରାଜ୍ୟ ଏହି ଆଶଙ୍କା ଆହୁରି ବଢ଼଼ି ଚାଲିଛି। ଭୂକମ୍ପ ବେଳେ ଜୋନ୍‌‌ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‌‌ ୩ ରେ ମଧ୍ୟମ, ଜୋନ୍‌‌ ୪ରେ ଅଧିକ ଓ ଜୋନ୍‌‌ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ। ଓଡ଼ିଶାର ୭ଟି ସହର ଭୂକମ୍ପ ଜୋନ୍‌‌ ୩ ଅଞ୍ଚଳରେ ରହଥିବାରୁ ଏହି ଅଞ୍ଚଳଗୁଡ଼ିକ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯିବା ଉଚ୍ଚିତ ବୋଲି ଭୂତତ୍ୱବିତ ମାନେ କହିଛନ୍ତି।