ଗୁପ୍ତଚର ବେଲୁନ୍‌ ଜରିଆରେ ଆମେରିକା ଓ ଭାରତ ଉପରେ ଗୁଇନ୍ଦାଗିରି କରୁଛି ଚାଇନା

ନୂଆଦିଲ୍ଲୀ : (ସଂକେତ ଟିଭି) ଚୀନ୍‌ର ଗୁପ୍ତଚର ବେଲୁନ୍‌ ବିଷୟରେ ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚୀନ୍ କେବଳ ଆମେରିକା ଏବଂ ଭାରତରେ ନୁହେଁ ବରଂ ଅନ୍ୟାନ୍ୟ ୪୦ଟି ଦେଶ ଉପରେ ଗୁପ୍ତଚର ବେଲୁନ୍ ଉଡାଇ ଗୁଇନ୍ଦାଗିରି କରୁଛି। ଏନେଇ ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେର୍ମାନ ଏହି ପ୍ରସଙ୍ଗ ସହ ଜଡିତ ଥିବା ଭାରତ ସମେତ ବିଶ୍ବର ୪୦ଟି ଦେଶର ଦୂତାବାସକୁ ସୂଚନା ଦେଇଛନ୍ତି।

ଆମେରିକା ଫେବୃଆରୀ ୪ ଶନିବାର ଦିନ ଚାଇନା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଥିଲା। ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଥିଲା । କୁହାଯାଉଥିଲା ଚୀନ୍ ଆମେରିକା ଆକାଶରେ ବେଲୁନ ଉଡାଇ ଗୁଇନ୍ଦାଗିରି କରୁଥିଲା । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଣ୍ଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ବେଲୁନଟିକୁ ଉଡାଇ ଦେଇଥିଲା । ଏହି ସ୍ପାଏ ବେଲୁନଟି ଭୂପୃଷ୍ଠରୁ ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।