ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା : (ସଂକେତ ଟିଭି) ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି । ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ।
ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏଣେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଥିଲା।
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି।