ଫାଇଲେରିଆ ମୁକ୍ତ ହେବ ରାଜ୍ୟର ୯ ଜିଲ୍ଲା
ଭୁବନେଶ୍ବର : (ସଂକେତ ଟିଭି) ଆସନ୍ତା ଫେବୃୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ବା ବାତଜ୍ୱର ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । ଫାଇଲେରିଆ ବା ବାତଜ୍ୱର ରୋଗ ବର୍ତ୍ତମାନ ଆମ ରାଜ୍ୟର ୨୦ଟି ଜିଲ୍ଲାରେ ଅଛି ।
ଭାରତ ସରକାରଙ୍କ ସଂକଳ୍ପ ଅନୁସାରେ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ଭାରତ ଫାଇଲେରିଆ ମୁକ୍ତ ହେବ । ଫାଇଲେରିଆ ବା ବାତଜ୍ୱର କ୍ୟୁଲେକ୍ସ ମଶା ଦ୍ୱାରା ହୋଇଥାଏ । ସାଧାରଣତଃ ଏହି କ୍ୟୁଲେକ୍ସ ମଶା କଳା ବା ଅପରିଷ୍କାର ପାଣିରେ ରହିଥାଏ । ମଶା ଦେହରୁ ଫାଇଲେରିଆ ଲାର୍ଭା ଆମ ଶରୀରରେ ପ୍ରବେଶ କରି ସଂପୂର୍ଣ୍ଣ ଫାଇଲେରିଆ କୁର୍ମୀରେ ପରିଣତ ହୋଇଥାଏ ଏବଂ ନିଜର ବଂଶ ବିସ୍ତାର କରିଥାଏ, ଏହି ନବ ଜନ୍ମିତ ଫାଇଲେରିଆ କୁର୍ମୀକୁ ମାଇକ୍ରୋଫାଇଲେରିଆ କୁହାଯାଏ । ମାଇକ୍ରୋଫାଇଲେରିଆ ଆମ ଶରୀରର ଲସିକା ଗ୍ରନ୍ଥିରେ ବାସ କରି ଏହାକୁ ଫୁଲାଇ ଦିଏ । ଧିରେ ଧିରେ ଆମ ଶରୀର ଅସୁସ୍ଥ ହୁଏ ଏବଂ ଗୋଡ଼ / ହାତ ଫୁଲେ । ଏହାକୁ ସାଧାରଣ ଭାଷାରେ ହାତୀପାଦ ବା ଗୋଦରଗୋଡ କୁହାଯାଏ ।
ଗୋଦରଗୋଡ କୌଣସି ଉପଚାର ନାହିଁ କିନ୍ତୁ ଏହାକୁ ଔଷଧ ଦ୍ୱାରା ପ୍ରତିରୋଧ କରାଯାଇପାରିବ । ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଫେବୃୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଶା, ଅଙ୍ଗୱାଡ଼ି ଏବଂ ସ୍ୱେଛାସେବୀ ମାନେ ଘର
ଘର ବୁଲି ବୟସ ଅନୁପାତରେ ବଟିକା ଲୋକମାନଙ୍କୁ ଖୁଆଇବେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଫାଇଲେରିଆ ବଟିକା ବର୍ଷକୁ ଥରେ, ୫ ରୁ ୬ ବର୍ଷ ଧରି ସେବନ କରିଲେ ଏହି ରୋଗ ସମ୍ପୂର୍ଣ ଭାବରେ ଦୂରେଇଯିବ । ଫାଇଲେରିଆ ଔଷଧ ସମ୍ପୂର୍ଣ୍ଣ ଭାବରେ ପାର୍ଶ୍ୱପ୍ରତିକ୍ରିୟା ବିହୀନ । ୨ ବର୍ଷରୁ କମ ଶିଶୁ, ଗର୍ଭବତୀ
ମହିଳା ଏବଂ ଅତ୍ୟଧିକ ଶାରୀରିକ ରୋଗୀ, ଏହି ୩ଟି ଶ୍ରେଣୀ ଛାଡିଦେଲେ ବାକି ସମସ୍ତେ ଏହି ଔଷଧ ଖାଇପରିବେ । ଏହି ଔଷଧ ୧୦୦ ବର୍ଷ ଉର୍ଦ୍ଧ ସମୟରୁ ବ୍ୟବହାରରେ ଅଛି ।
ସେପଟେ ରାଜ୍ୟର ନଅ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ ,ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୁରୀ, ମାଲକାନଗିରି, ନବରଙ୍ଗପୁରରେ, କୋରାପୁଟ, ଗଜପତି, କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର, ଦେବଗଡ଼ ହେବ ଫାଇଲେରିଆ ମୁକ୍ତ। ଅନ୍ୟ ୨୧ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ ଓ ପରବର୍ତୀ ସମୟରେ ଆଉ ୧୧ଟି ଜିଲ୍ଲାରେ ହେବ ଏହି ଅଭିଯାନ ଆରମ୍ଭ ହେବ। ପ୍ରଥମ ଦଶଟି ଜିଲ୍ଲାରେ ଡିଇସୀ, ଆଲବେନଣ୍ଡାଜଲ୍ ଟାବଲେଟ ଲୋକଙ୍କୁ ଦିଆଯିବ। ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାବଲେଟ ସହ ଆଇଭ୍ରମେକଟିନ୍ ଟାବଲେଟ ଦିଆଯିବ। ଏହିଭଳି ନିୟମିତ ବ୍ୟବଧାନରେ ଏହି ଔଷଧ ସେବନ କଲେ ଖୁବ ଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହେବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।