କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ବର : (ସଂକେତ ଟିଭି) ପୂର୍ବତନ ପ୍ରଶାସକ ତଥା ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେ ଆଜି ନୂଆଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ସେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ।

କଂଗ୍ରେସରେ ଯୋଗ ହେବା ପରେ ବିଜୟ ପଟ୍ଟନାୟକ କହିଛନ୍ତି,‘ ସେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜ୍ୟ ପାଇଁ ଯାହା କିଛି କରି ପାରିବା କଥା କରିବି। ରାଜ୍ୟ ପାଇଁ ଏନେକ କିଛି କରିବାର ଲକ୍ଷ୍ୟ ରଖିଛି। ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ମୁଁ ବ୍ୟବାହର କରିବି। ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାଜ୍ୟରେ କୁଶାସନ, ଦୁର୍ନୀତି ଏବଂ ହିଂସାର ବାତାବରଣ ଚାଲିଛି। ଓଡ଼ିଶାରେ ପ୍ରଶାସନ ଲୋକଙ୍କଠାରୁ ଦୂରରେ ରହିଛି । ସାଧାରଣ ଲୋକ କାହା ନିକଟକୁ ନିଜର ସମସ୍ୟା ଜଣାଇବାକୁ ଯିବେ ଜାଣି ପାରୁ ନାହାନ୍ତି। ପ୍ରଶାସନ ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ । ବର୍ତ୍ତମାନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ରାଜନୀତିକୁ ଆସିଛି ସେ କହିଛନ୍ତି।

୧୯୭୬ ବ୍ୟାଚର ଆଇଏଏସ୍‌ ଅଧିକାରୀ ବିଜୟ ପଟ୍ଟନାୟକ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ଏହା ପରେ ୨୦୧୦ ସେପ୍ଟେମ୍ୱରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ପରେ ୨୦୧୩-୧୪ରେ ରାଜ୍ୟ ସରକାରଙ୍କ ଷ୍ଟାଫ୍‌ ସିଲେକସନ୍‌ କମିଶନର ଅଧ୍ୟକ୍ଷ ଏବଂ ୨୦୧୪- ୧୫ରେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ରହିଥିଲେ। ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨୦୧୭ରେ ଏହି ପଦରୁ ସେ ଇସ୍ତଫା ଦେଇଥିଲେ ।