ବାୟୁ ସ୍ଵାସ୍ଥ୍ୟସେବା ଯୋଜନାରେ ଯୋଡି ହେଲା ଆଉ ଗୋଟିଏ ଉପାନ୍ତ ଜିଲ୍ଲା
ଭୁବନେଶ୍ବର : (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନବରଙ୍ଗପୁର ଜିଲ୍ଲା ଯୋଡ଼ି ହୋଇଛି । ଆଜି ଏହି ଯୋଜନା ଅଧୀନରେ ଡାକ୍ତରଙ୍କ ଏକ ଟିମ୍ ଆଜି ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଭୁବନେଶ୍ୱରର ବିଭିନ୍ନ ବିଭାଗର ସୁପର ସ୍ପେସାଲିଷ୍ଟ ଆସି ପହଂଚି ସେବା ଯୋଗାଇଦେବେ।ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବାୟୁ ସ୍ୱାସ୍ଥ୍ୟସେବା ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକରେ ଲୋକ ମାନଙ୍କୁ ଅବଗତ କରାଯାଇଛି ।
ରାଜ୍ୟର ବଛା ବଛା ପ୍ରସିଦ୍ଧ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାଡିଓଲୋଜିଷ୍ଟ, ନେଷ୍ଟ୍ରୋ ଲୋଜିଷ୍ଟ, ଗେଷ୍ଟ୍ରୋ ନେଟେରୋ ଲୋଜିଷ୍ଟ, ରେଡିଓ ଲୋଜିଷ୍ଟ ଆନାସ୍ଥେସିଆ ବିଶେଷଜ୍ଞ ମାନେ ଦିନେ ବଡ ବଡ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବେଳେ ସେମାନେ ରୋଗୀ ନିକଟରେ ପହଞ୍ଚି ରବିବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ।
ଡାକ୍ତରୀ ଟିମ୍ ବିଶେଷ ଚିକିତ୍ସା ଏବଂ ଜଟିଳ ଯତ୍ନର ଆବଶ୍ୟକତା ଥିବା ରୋଗୀମାନଙ୍କୁ ଚିକିତ୍ସା କରିବେ। ଏହି ଗସ୍ତ ସମୟରେ ନବରଙ୍ଗପୁରରେ ପ୍ରାୟ ୮୦୦ ରୋଗୀ ଚିକିତ୍ସିତ ହେବାର ଆଶା କରାଯାଉଛି ବୋଲି ସଚିବ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ମସିହା ଡିସେମ୍ବର ମାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ର ଉଦଘାଟନ କରିଥିଲେ। ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଥିଲେ।
ଏହା ଜରିଆରେ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ। ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି। ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହୋଇଛି। ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇହେଉଛି।