FeaturedLatestSports

ଧର୍ମଶାଳା ବଦଳରେ ଇନ୍ଦୋରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ନୂଆଦିଲ୍ଲୀ : (ସଂକେତ ଟିଭି) ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ ନାହିଁ । ଏହି ମ୍ୟାଚର ଭେନ୍ୟୁ ପରିବର୍ତ୍ତନ ହୋଇଛି । ଏହି ମ୍ୟାଚ ହୋଲକର ଷ୍ଟାଡିୟମ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟମରେ ବର୍ଡର ଗାଭାସ୍କର ଟ୍ରଫିରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳା ଯାଇଥିବାବେଳେ ଦ୍ବିତୀୟ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମ ଦିଲ୍ଲୀରେ ଖେଳାଯିବ। ସେହିପରି ତୃତୀୟ ଟେଷ୍ଟ୍ ଧର୍ମଶାଳା ଓ ଚତୁର୍ଥ ଟେଷ୍ଟ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ଭେନ୍ୟୁ ସ୍ଥିର ହୋଇଥିଲା । ହେଲେ ବିସିଆଇ ତୃତୀୟ ଟେଷ୍ଟକୁ ଧର୍ମଶାଳାରୁ ଇନ୍ଦୋର ହୋଲକର ଷ୍ଟାଡିୟମକୁ ସ୍ଥାନାନ୍ତର କରିଛି ।

ଆସନ୍ତା ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ମାତ୍ର ହିମାଚଳ ପ୍ରଦେଶ ଧର୍ମଶାଳା ଷ୍ଟାଡିୟମର ଆଉଟ୍ ଫିଲ୍ଡ କାମ ଶେଷ ହୋଇନଥିବାରୁ ମ୍ୟାଚ୍‌ ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି । ଭୀଷଣ ଥଣ୍ଡା ଯୋଗୁ ଆଉଟ୍ ଫିଲ୍ଡିରେ ପର୍ଯ୍ୟାପ୍ତ ଘାସ ନାହିଁ ଏବଂ ଷ୍ଟାଡିୟମ ବିକଶିତ ହେବାକୁ ଆହୁରି ଅନେକ ଦିନ ଲାଗିବ । ଫେବ୍ରୁଆରୀ ୧୧ ତାରିଖରେ ହିମାଚଳ ପ୍ରଦେଶ କ୍ରିକେଟ୍ ଅସୋସିଏସନର ପ୍ରତିନିଧି ଦଳ ଷ୍ଟାଡିୟମ ନିରୀକ୍ଷଣ କରି ରବିବାର ରିପୋର୍ଟ ପ୍ରଦାନ କରିଥିଲା । ଷ୍ଟାଡିୟମ କାମ ଶୀଘ୍ର ଶେଷ ହେବା ନେଇ ଆଶଙ୍କା ଦେଖା ଦେଇଥିବାରୁ ସୋମବାର ବିସିସିଆଇ ଭେନ୍ୟୁ ପରିବର୍ତ୍ତନ କରିଛି ।