ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି
ଭୁବନେଶ୍ବର : (ସଂକେତ ଟିଭି) ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ବିଜେଡ଼ି ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ବିଜେଡି ଏହି ପ୍ରତିବାଦ କରିବ।
ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ କରାଯାଇଛି। ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁଥିବା ବେଳେ ବର୍ତ୍ତମାନ ତାହା ୧୪ ଲକ୍ଷ ମେଟ୍ରିକ ଟନକୁ ହ୍ରାସ କରାଯାଇଛି। କେବଳ ବରଗଡ଼ ଜିଲ୍ଲାକୁ ୪ ଲକ୍ଷ ଟନ ଉଷୁନା ଚାଉଳ ଆସୁଛି। ଆଉ ୨୯ ଜିଲ୍ଲାବାସୀ କଣ କରିବେ। ଏହା ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ। ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାକୁ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି।
ଏଥିଲାଗି ୧୪ ତାରିଖରେ ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ। ଠିକ୍ ସେହିପରି ୧୫ ତାରିଖରେ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରିବ ବିଜେଡି। ଅପରପକ୍ଷରେ ୧୬ରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ସହ ଦଳ ବିକ୍ଷୋଭ କରିବ ବୋଲି ଜଣାଯାଇଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ବିଜେଡି ରାଜନୀତି ନ କରୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୋଭିଡ ସମୟରେ ଦିଆଯାଇଥିବା ରିଲିଫକୁ ନେଇ ରାଜନୀତି କରାନଯାଉ।
ଗୋଲକ ମହାପାତ୍ର କହିଛନ୍ତି, କରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ। ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା। କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା। ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି। ତେଣୁ ବିଜେଡି ସୁଆଙ୍ଗ କରୁଛି।