ଓଡ଼ିଶାରେ ଏବେ ଓଡ଼ିଆମାନେ ନିର୍ଯ୍ୟାତିତ : ବିଜୟ ପଟ୍ଟନାୟକ

ଭୁବନେଶ୍ବର : (ସଂକେତ ଟିଭି) କଂଗ୍ରେସରେ ଯୋଗ ଦେଇ ଦିଲ୍ଲୀରୁ ଫେରିବା ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି।

ଏବେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି। ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ ତାଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ସେହିପରି ମନ୍ତ୍ରୀମାନେ ମଧ୍ୟ ସମାନ କଥା କହୁଛନ୍ତି। ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରି ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ଏବେକା ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ଏବେ ଓଡ଼ିଆମାନେ ନିର୍ଯ୍ୟାତିତ। ଓଡ଼ିଶାର କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି। କେବଳ ବଡ଼ ବଡ଼ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ମଧ୍ୟ ବାହାର ରାଜ୍ୟରୁ ଆସି କାମ କରୁଛନ୍ତି । ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି । ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି। ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ କାମ ନମିଳିବା କାରଣରୁ ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏକ ଉତ୍ତରରେ ବିଜୟ ପଟ୍ଟନାୟକ କହିଛନ୍ତି, ବୋଧହୁଏ ଗୋପାଳ ଦାସ ମାରିନି। ଏହା ପଛରେ ନିଶ୍ଚିତ ଅନ୍ୟ କୌଣସି ଲୋକର ହାତ ଅଛି। କାହାର ହାତ ନଥିଲେ, ଏଏସଆଇ ଗୋପାଳ ଦାସ କଣ ମାରିଦେଇପାରିବ? କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର। ଯଦି କ୍ରାଇମବ୍ରାଞ୍ଚ ଏଥିରେ ସଫଳ ହେଉନି, ତେବେ ମାମଲା ସିବିଆଇକୁ ହସ୍ତାନ୍ତର ହେଉ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ବିଜେଡିର ମୁଖପାତ୍ର ଲେନିନ୍ ମହାନ୍ତି ଏହାର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜୟ କଂଗ୍ରେସର ନୁହେଁ, ବିଜେପିର ମୁଖପାତ୍ର ଭାବେ କଥା ହେଉଛନ୍ତି । ସମସ୍ତେ ଭଲ ଭାବରେ ଜାଣନ୍ତି ସରକାରୀ ଚାକିରିରୁ ଅବସର ନେବା ପରେ ବିଜୟ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ । ଏଥିପାଇଁ ସେ ବିଜେଡିରେ ଯୋଗ ଦେଇ ରାଜ୍ୟ ସଭାକୁ ଯିବାକୁ ଚାହୁଁଥିଲେ । ମାତ୍ର ତାହା ସମ୍ଭବ ନହେବାରୁ ସେ କଂଗ୍ରେସରେ ଯୋଗଦେଇଛନ୍ତି ବୋଲି ସେ କହିଛନ୍ତି ।