ଆମ ହସ୍ପିଟାଲ ଯୋଜନାରେ ୧୪୭ଟି ହସ୍ପିଟାଲରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା
ଭୁବନେଶ୍ବର : (ସଂକେତ ଟିଭି) ‘ଆମ ହସ୍ପିଟାଲ ‘ ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିକରଣ କାମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହା ଦ୍ବାରା ହସ୍ପିଟାଲର ରୂପରେଖ ପରିବର୍ତ୍ତନ କରାଯିବ। ହସ୍ପିଟାଲରେ ନୂଆ କୋଠା ସହ ବିଭିନ୍ନ ଉନ୍ନତମାନର ମେଡିକାଲ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକ ପରିମାଣର ଡାକ୍ତର ଯୋଗାଇ ଦିଆଯିବ ।
ଅନ୍ୟପଟେ ବିଗତ କିଛି ବର୍ଷରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି । କଳାହାଣ୍ଡି , ତାଳଚେର, ଯାଜପୁର , କନ୍ଧମାଳ ମେଡିକାଲ କଲେଜ ଖୋଲିବ। ସେହିପରି ଅନୁଗୁଳ , ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ଯ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପଟେ ଚଳିତ ବର୍ଷ ବାଗଚୀ କ୍ୟାନସ୍ର ସେଣ୍ଟର ଓ ଟାଟା ମେମୋରିଆଲ୍ କ୍ୟାନସ୍ର ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ। ସେହିପରି ଝାରସୁଗୁଡା ଠାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ । ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ କରାଯିବ । ୩ ହଜାର ଡାକ୍ତର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇଛି । ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ ହଜାର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଥିବା ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ କହିଛନ୍ତି ।
ସେହିପରି ବିଏସକେୱାଇକୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫୦୦ ହସ୍ପିଟାଲକୁ ବିଏସକେୱାଇରେ ସାମିଲ କରାଯାଇଛି । ବିଏସକେୱାଇରେ ଏବେ ଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି । କଟକ ଏସସିବିକୁ ଏମ୍ସ ପ୍ଲସ୍ କରାଯାଉଛି। ଯାହାର କାମ ୨୦୨୪ ଜାନୁଆରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।