ଡ୍ରୋନରେ ଆସିଲା ଔଷଧ, ୪୦ କିଲୋମିଟରକୁ ଲାଗିଲା ୩୦ ମିନିଟ

ନୂଆଦିଲ୍ଲୀ : (ସଂକେତ ଟିଭି) ଉତ୍ତରାଖଣ୍ଡର ଗୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନରେ ଔଷଧ ଆସିଥିଲା । ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍ସରୁ ପଠାଯାଇଥିଲା । ଋଷିକେଶରୁ ତେହରି ୪୦ କିଲୋମିଟର ଦୂରତା ହୋଇଥିବା ବେଳେ ଡ୍ରୋନଫିକୁ ଏଥିପାଇଁ ମାତ୍ର ୩୦ ମିନିଟ୍‌ ସମୟ ଲାଗିଥିଲା । ସଡ଼କ ପଥରେ ଏହି ଔଷଧ ଆସିଥିଲେ ୨ ଘଣ୍ଟା ଲାଗି ଯାଇଥା’ନ୍ତା । ପରୀକ୍ଷାମୂଳକ ଭାବେ ଋଷିକେଶରୁ ତେହରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ୍‌ ସାହାଯ୍ୟରେ ଟିବି ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ପଠାଯାଇଥିଲା ।

ସେହିପରି ଟିବି ରୋଗୀଙ୍କଠାରୁ ସଂଗୃହୀତ ନମୁନାକୁ ଋଷିକେଶ ସ୍ଥିତ ଏମ୍ସକୁ ଡ୍ରୋନ୍‌ ସାହାଯ୍ୟରେ ପଠାଯାଇଥିଲା । ଋଷିକେଶ ସ୍ଥିତ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମୀନୁ ସିଂହ କହିଛନ୍ତି, ଉତ୍ତରାଖଣ୍ଡର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ରୋଗୀଙ୍କ ନିକଟରେ ଔଷଧ ପହଞ୍ଚାଇବାରେ ଡ୍ରୋନ୍‌ ବ୍ୟବସ୍ଥା ବେଶ୍‌ ସହାୟକ ହେବ । ଆମେ ଏକ ଏମିତି ବ୍ୟବସ୍ଥା କରିବାକୁ ଚାହୁଁଛୁ, ଯେଉଁଥିରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଟିବି ଆକ୍ରାନ୍ତମାନେ ଯେପରି ସୁବିଧାରେ ଔଷଧ ପାଇପାରିବେ । ଔଷଧ ପାଇଁ ସେମାନଙ୍କୁ ଯେମିତି ଦୂର ବାଟ ଯିବାକୁ ନପଡ଼ିବ । ଡ୍ରୋନରେ ଆମେ ଏକ ଉପାନ୍ତ ଅଞ୍ଚଳକୁ ଆଜି ସୁରକ୍ଷିତ ଭାବେ ଔଷଧ ପଠାଇ ପାରିଥିବାରୁ ଏହା ଏକ ବଡ଼ ସଫଳତା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ବରଫାଞ୍ଚଳରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଯବାନମାନଙ୍କ ନିକଟକୁ ଡ୍ରୋନ୍‌ ଯୋଗେ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ପଠାଯାଇଥିଲା । ମହାରାଷ୍ଟ୍ରରର ଅନେକ ଉପାନ୍ତ ଅଞ୍ଚଳକୁ ମଧ୍ୟ ଡ୍ରୋନ୍‌ ସାହାଯ୍ୟରେ କୋଭିଡ୍‌ ଟିକା ପଠାଯାଇଥିଲା ।