ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଶିବସେନା ନାମ ଓ ଧନୁଶର ଚିହ୍ନ

ନୂଆଦିଲ୍ଲୀ : (ସଂକେତ ଟିଭି) ନିର୍ବାଚନ କମିସନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାମ ଓ ଧନୁଶର ଚିହ୍ନ ପ୍ରଦାନ କରିଛନ୍ତି । ଏହା ଫଳରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଜୋରଦାର ଝଟକା ଲାଗିଛି । ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ପ୍ରାୟ ନିଶ୍ଚିତ ହୋଇଯାଇଛି । ତେବେ ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଠାକରେ ଗୋଷ୍ଠୀର ସଂଜୟ ରାଉତ କହିଛନ୍ତି ।

ତତକାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଗତ ବର୍ଷ ତଳେ ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ । ଦଳର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟରେ ଚାଲିଥିବା ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ଏହା ପରେ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଶିବସେନା ନାମ ଓ ଚିହ୍ନକୁ ନେଇ ଦୁଇପକ୍ଷ ନିର୍ବାଚନ କମିସନଙ୍କ ନିକଟକୁ ଯାଇଥିଲେ । ଅନ୍ତରୀଣ ସମୟ ପାଇଁ କମିସନ ଦୁଇ ଶିବିରଙ୍କୁ ଦୁଇଟି ଅସ୍ଥାୟୀ ନାମ ଦେଇଥିଲେ । ସିନ୍ଦେ ଗୋଷ୍ଠୀଙ୍କ ଦଳକୁ ବାଲାସାହେବଚି ଶିବସେନା ଓ ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନାମ ଦିଆଯାଇଥିଲା ।