ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇର ସମନ

ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଥରେ ସିବିଆଇ ସମନ କରିଛି। ଏନେଇ ମନୀଷ ଶନିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରବିବାର ତାଙ୍କୁ ପୁଣିଥରେ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀ ମଦ ନୀତରେ ଗଠନ ଓ କାର୍ଯ୍ୟକାରୀରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ନୂଆ ସମନ କରାଯାଇଛି। ତେବେ ତାଙ୍କ ବିରୋଧରେ ମିଳିଥିବା ଏକ ନୂଆ ପ୍ରମାଣକୁ ନେଇ ମନୀଷଙ୍କୁ ସମନ କରାଯାଇଛି ବୋଲି ସିବିଆଇ କହିଛି।

ମନୀଷ ଟ୍ୱିଟ୍ କରି କହିଛନ୍ତି ମୋ ପଛରେ ସେମାନେ ସିବିଆଇ ଓ ଇଡିର ପୂରା ଶକ୍ତି ଲଗାଇ ଦେଇଛନ୍ତି। ଘରେ ରେଡ୍ ବ୍ୟାଙ୍କ ଲକର ସନ୍ଧାନ ପରେ ମୋ ବିରୋଧରେ କିଛି ମିଳିଲାନି। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା କରିଛି। ଏମାନେ ତାକୁ ରୋକିବାକୁ ଚାହୁଁଛନ୍ତି। ମୁଁ ଯାଞ୍ଚରେ ସବୁବେଳେ ସହଯୋଗ କରିଛି ଆଗକୁ ମଧ୍ୟ କରିବି।

ସିବିଆଇ ଦିଲ୍ଲୀର ମଦ ଦୁର୍ନୀତି ଅଭିଯୋଗ କରି ମନୀଷଙ୍କ ସହିତ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଗତବର୍ଷ ଅଗଷ୍ଟ ମାସରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଆପିସିରି ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ ହୋଇଛି। ବେଆଇନ ଭାବେ ବ୍ୟକ୍ତିଲାଭ ପାଇଁ ଏହି ଆଇନ୍‌ରେ ଦୁର୍ନୀତି କରାଯାଇଛି ବୋଲି ସିବିଆଇ ଅଭିଯୋଗ କରିଛି। ଡିଲରମାନଙ୍କ ସ୍ୱାର୍ଥରେ ସେମାନଙ୍କ ଠାରୁ ଲାଞ୍ଚ ନିଆଯାଇ ସେମାନଙ୍କୁ ଲାଇସେନ୍ସ ଦିଆଯାଇଛି ବୋଲି ସିବିଆଇ ଅଭିଯୋଗ କରିଛି।