ତାଇଓ୍ବାନ ଭଳି ଓଡିଶା ବି ହୋଇପାରିବ ବିଶ୍ବର ସେମିକଣ୍ଡକ୍ଟର ହବ୍ : ତାଇଓ୍ବାନ ରାଷ୍ଟ୍ରଦୂତ

ବାଲେଶ୍ବର : (ସଂକେତ ଟିଭି) ତାଇଓ୍ବାନ ଭଳି ଓଡିଶା ବି ହୋଇପାରିବ ବିଶ୍ବର ସେମିକଣ୍ଡକ୍ଟର ହବ । ଏଥିପାଇଁ ଓଡିଶା ସରକାରଙ୍କ ଉଦ୍ଯମ ଆବଶ୍ୟକ ବୋଲି କହିଛନ୍ତି ତାଇଓ୍ବାନର (ଡେପୁଟି ରିପ୍ରେଜେଣ୍ଟିଟିଭ, ଇକୋନୋମିକ ଆଣ୍ଡ କଲଚରାଲ ସେଣ୍ଟର ) ରାଷ୍ଟ୍ରଦୂତ ମୁମିନ ଚେନ୍ ।

ତାଇଓ୍ବାନ ନିବେଶକମାନେ ଗୁଜୁରାଟ ଏବଂ ତାମିଲନାଡୁରେ ଶହେରୁ ଅଧିକ କଳ କାରଖାନା ଖୋଲି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ହେଲେ ସେମାନେ ଓଡିଶାରେ ଏପର୍ଯ୍ଯନ୍ତ ଗୋଟିଏ ମଧ୍ଯ ପୁଞ୍ଜିନିବେଶ କରିନାହାଁନ୍ତି । ଓଡିଶା ସରକାର ତାଇଓ୍ବାନର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିବା ଆବଶ୍ଯକ ବୋଲି କହିଛନ୍ତି ଶ୍ରୀ ଚେନ୍ ।

ନୋସି ବିଜିନେସ ପାର୍କଠାରେ ଶିଳ୍ପଦ୍ୟୋଗୀଙ୍କ ସହିତ ଆଲୋଚନା କରି ଶ୍ରୀ ଚେନ୍ କହିଛନ୍ତି ଯେ ଭାରତରେ ଗୋଟିଏ ବିରାଟ ବଜାର ରହିଛି । ତାଇଓ୍ବାନ ନିବେଶକମାନେ ଏଠାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିବା ପାଇଁ ଚାହୁଁଛନ୍ତି । ଏଥିପାଇଁ ସେମାନଙ୍କୁ ଭିତ୍ତିଭୂମୀ ଓ ବିଭିନ୍ନ ସୁବିଧା ସୂଯୋଗ ଦେଇ ଆକର୍ଷିତ କରିବା ଆବଶ୍ୟକ । ଗୁଜୁରାତ ଓ ତାମିଲନାଡୁ ସରକାରଙ୍କ ଉଦ୍ଯମ ଯୋଗୁଁ ସେଠାରେ ତାଇଓ୍ବାନ ଶିଳ୍ପସଂସ୍ଥାମାନେ ନିଜର କଳକାରଖାନା ଖୋଲିଛନ୍ତି । ଏଥିରେ ଫକ୍ସକନ, ମାକ୍ସିସ, ମିଡିଆଟେକ୍, ଟ୍ରାନ୍ସକେଣ୍ଟ, ଗିଗାବାଇଟ୍, ଏମଏସଆଇ, ଏଡଭାଣ୍ଟେକ୍, ଇଡିମେକ୍ସ ଆଦି ତାଇଓ୍ବାନର ଶହେରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ ରହିଛନ୍ତି ।

ସେ କହିଛନ୍ତି ଯେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ ପାର୍ଟ୍ସ, ଆଡିଓ ଭିଡିଓ ଉତ୍ପାଦର ହବ୍ ହେଉଛି ତାଇଓ୍ବାନ । ଯଦି ଓଡିଶା ସରକାର ତାଇଓ୍ବାନର ନିବେଶକଙ୍କୁ ଭିତ୍ତିଭୂମୀ ଓ ବିଭିନ୍ନ ସୁବିଧାସୂଯୋଗ ଦେଇ ଆକୃଷ୍ଟ କରି ପାରନ୍ତେ, ତେବେ ଓଡିଶାରେ ମଧ୍ଯ ଏହି ସବୁ ଶିଳ୍ପ ସଂସ୍ଥା ଗଢି ଉଠନ୍ତା । ଏବଂ ଓଡିଶା ମଧ୍ଯ ବିଶ୍ବର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ ହୋଇପାରନ୍ତା । ଏବେ ଏହା ଦ୍ବାରା ଓଡିଶା ବହୁ ପରିମାଣରେ ରାଜସ୍ବ ପାଇବା ସହିତ ରାଜ୍ୟର ଲୋକେ ମଧ୍ଯ ନିଯୁକ୍ତିର ସୂଯୋଗ ପାଇପାରନ୍ତେ ।

ତାଇଓ୍ବାନର ଲୋକମାନେ ଭାରତର କଳା ସଂସ୍କୃତି ଜାଣିବା ପାଇଁ ତଥା ବିଭିନ୍ନ ପର୍ଯ୍ଯଟନ ସ୍ଥଳ ବୁଲିବା ପାଇଁ ବେଶ୍ ଉତ୍ସୁକ । ମାତ୍ର ଭାରତକୁ ଗୋଟିଏ ମଧ୍ଯ ଡାଇରେକ୍ଟ ଫ୍ଲାଇଟ୍ ନଥିବାରୁ ତାଇଓ୍ବାନ ପର୍ଯ୍ଯଟକମାନେ ଭାରତ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ସମେତ ଓଡିଶା ସରକାର ଏଥିପାଇଁ ଉଦ୍ଯମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ଯକ୍ରମରେ ଶିକ୍ଷିବିତ୍ ରୂପନାରାୟଣ ଦାସ, ନୋସିର ସଭାପତି ପିକେ ଦାଭେ, ଜଗଦମ୍ବା ପଲିମରର ପରିଚାଳନା ନିର୍ଦେଶକ ସିପି ଭରତିଆ, ଫକୀର ମୋହନ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଚେୟାମ୍ୟାନ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ନୋସିର ସଦସ୍ୟ, ସଦସ୍ୟାଙ୍କ ସମେତ ବହୁ ଶିଳ୍ପଦ୍ୟୋଗୀ ଯୋଗଦେଇଥିଲେ ।